କ୍ରୀଡା ପ୍ରତିଯୋଗିତାର ଉଦ୍ଦେଶ୍ୟ ପୁରସ୍କାର ଲାଭ ନୁହେଁ ଶୃଙ୍ଖଳମୟ ଓ ସୁସ୍ଥ ଜୀବନର ମୂଲ୍ୟବୋଧ ହେଉ

କଲମପୁର : ଆମର ସମସ୍ତ ଉଦ୍ୟମ ଓ ସମସ୍ତ ପ୍ରଚେଷ୍ଟା କ୍ରୀଡାର ମହାନ ଆଦର୍ଶ ପାଇଁ ନିୟୋଜିତ ହେବ। ଆମେ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପୁରସ୍କାର ଲାଭ ନୁହେଁ, ଶୃଙ୍ଖଳମୟ, ସୁସ୍ଥ ଓ ସୁରକ୍ଷିତ ଜୀବନର ମୂଲ୍ୟବୋଧ ହିଁ ଏହାର ଲକ୍ଷ୍ୟ ହେଉ ବୋଲି କଲମପୁର ମିନିଷ୍ଟାଡିୟମ ଠାରେ ଜିଲା ବିଦ୍ୟାଳୟ କ୍ରୀଡା ସଂଗଠନ ସହଯୋଗରେ କଲମପୁର ସରକାରୀ ଦୁର୍ଗାମାଧବ ହାଇସ୍କୁଲ ଦ୍ୱାରା ଆୟୋଜିତ ୫୧ତମ ଜିଲା ବିଦ୍ୟାଳୟସ୍ତରୀୟ ଦୌଡ କୁଦ ପ୍ରତିଯୋଗିତାର ଉଦ୍ଘାଟନ ସମାରୋହରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।  ଜିଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଧର୍ମଗଡ ବିଧାନସଭା ସଭ୍ୟ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା, ଜିଲା ବିଦ୍ୟାଳୟସ୍ତରୀୟ ଦୌଡ କୁଦ ପ୍ରତିଯୋଗିତାର ଆବାହକ ତଥା କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ନବିନ କୁମାର ଖମାରୀ, ପ୍ରତିଯୋଗିତା ଆୟୋଜନ କମିଟିର ସମ୍ପାଦକ ତଥା କଲମପୁର ସରକାରୀ ଦୁର୍ଗାମାଧବ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ ବିଶ୍ୱାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏକ ଶୋଭାଯାତ୍ରାରେ ନିର୍ମାଲ୍ୟ କ୍ଷେତ୍ର କଲମପୁର ଜଗନ୍ନାଥ ମନ୍ଦିର ପରିସରରୁ ମଶାଲ ଗ୍ରହଣ କରି ଉତ୍ସବସ୍ଥଳକୁ ନିଆଯିବା ପରେ ଆବାହକ ଶ୍ରୀ ଖମାରୀ ମଶାଲ ସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବାଗ ଜିଲାସ୍ତରୀୟ ଦୌଡ କୁଦ ପ୍ରତିଯୋଗିତାର ପତାକା ଉତୋଳନ କରି ଆନୁଷ୍ଠାନିକ ଭାବେ ଜିଲାସ୍ତରୀୟ କ୍ରୀଡା ମହା ସମରକୁ ଉଦ୍ଘାଟନ କରିଥିଲେ। ସମ୍ପାଦକ ବାଞ୍ଛା ନିଧି ପଣ୍ଡା କ୍ରୀଡା ପ୍ରତିଯୋଗିତାର ବିବରଣୀ ପଠନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ଶ୍ରୀ ପଣ୍ଡା ସ୍ୱାଗତ ଅବିଭାଷଣ ପ୍ରଦାନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କ୍ରୀଡା ମହୋତ୍ସବ ଆୟୋଜନ ଅବସରରେ ବ୍ଲକର ଦୁର୍ଗାମାଧବ ହାଇସ୍କୁଲ ଠାରେ ଶାରିରୀକ ଶିକ୍ଷା ଶିକ୍ଷକ ଭାବେ ନିୟୋଜିତ ହେଇ କଲମପୁର ଅଂଚଳର ଛାତ୍ର ଛାତ୍ରୀଙ୍କ ଶାରିରୀକ ଶିକ୍ଷା ପାଇଁ ଗୁରୁତ୍ୱ ଦେଇ ସେବା ପ୍ରଦାନ କରି ଅବସର ନେଇଥିବା ଶିକ୍ଷକ ଗୋପିନାଥ ପଣ୍ଡା, ମଣ୍ଡଳ ବିଶ୍ୱନାଥ ବିଦ୍ୟାପୀଠର ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ହରେକୃଷ୍ଣ ପାଣିଗ୍ରାହୀ, ବିଜମରା ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ଶିବ ପ୍ରସାଦ ମହାନ୍ତି ପ୍ରମୁଖଙ୍କୁ ସେମାନଙ୍କ ସେମାନଙ୍କ ସେବା ପ୍ରଦାନ ପାଇଁ ଉପଢୌକନ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କ୍ରୀଡା ମହା ସମରରେ କଳାହାଣ୍ଡି ଜିଲାର ୧୩ ଗୋଟି ବ୍ଲକରୁ ୨୬୦ରୁ ଅଧିକ ପ୍ରତିଯୋଗି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ତତ୍ୱାବଧନରେ ୨୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ପ୍ରତିଯୋଗିତାର ପରିଚାଳନା ପାଇଁ ୨୮ ଜଣ ଶାରିରୀକ ଶିକ୍ଷା ଶିକ୍ଷକ ନିୟୋଜିତ ହେଇଛନ୍ତି। ଏହାସହ କଲମପୁର ବ୍ଲକର ସମସ୍ତ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପ୍ରତିଯୋଗିତା ଆୟୋଜନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। କ୍ରୀଡା ମହା ସମର ଉଦ୍ଘାଟନ ପରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗି ମାନେ ଶୃଙ୍ଖଳାର ସହିତ ପ୍ରତିଯୋଗାତର ସମ୍ପାଦନ ଓ ବିଚାରକ ମଣ୍ଡଳିର ବିଚାର ଉପରେ ସମ୍ମାନ ଦେବା ନେଇ ଶପଥ ଗ୍ରହଣ କରିଥିଲେ।

Comments are closed.