ପୁଣି ଖଟିଆରେ ବୁହା ହେଲେ ମହିଳା

0

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧିନସ୍ଥ ବାରସିକୋନା ଗାଁର ଜଣେ ମହିଳା ଗୁରୁତର ହେବାପରେ ତାଙ୍କୁ ଦୀର୍ଘ ୨ କିଲୋମିଟର ଖଟିଆରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି।

ପ୍ରାପ୍ତ ସୂଚନା ଅନୁସାରେ, ବାରସିକୋନା ଭଳି ଏକ ଆଦିବାସୀ ବହୁଳା ଗାଁରେ ପାନୀୟ ଜଳ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଗାଁର ଜନୈକ ମହିଳା ଫୁଲମତୀ ମାଝୀ ନିକଟସ୍ଥ ଏକ ଝରଣାକୁ ପାଣି ସଂଗ୍ରହ ପାଇଁ ଯାଇଥିଲେ। ସେଠାରୁ ପାଣି ନେଇ ଆସିବା ବେଳେ ଏକ ପଥର ଚଟାଣ ଉପରେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା କେନ୍ଦ୍ର ନେବା ପାଇଁ ପରିବାର ଲୋକ ବାହାରିଥିଲେ ମଧ୍ୟ ଯାତାୟତ ପାଇଁ ରାସ୍ତାର ସୁବିଧା ନଥିବାରୁ ୧୦୮ ଆମ୍ବୁଲାନ୍ସ ଜୁନାଗଡ ବ୍ଲକ ଅଧିନସ୍ଥ ପଦମପୁର ନିକଟ ଦେଇ ପ୍ରବାହିତ ଇନ୍ଦ୍ରାବତି ଦକ୍ଷିଣ ମୁଖ୍ୟ କେନାଲ ନିକଟରେ ପହଞ୍ଚି ରୋଗୀଙ୍କୁ ଅପେକ୍ଷା କରି ରହିଥିଲା। ପରିବାର ଲୋକ ଏକ ଖଟିଆ ମାଧ୍ୟମରେ ବୋହି ଦୀର୍ଘ ୨ କିଲୋମିଟର ପାଦ ଚଲା ରାସ୍ତା ଦେଇ କେନାଲ ହୁଡାରେ ପହଞ୍ଚି ଆମ୍ବୁଲାନ୍ସରେ ତାଙ୍କୁ ଜୁନାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ଯେଉଁ ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକରେ ଆଦିବାସୀ ଯୁବକ ଦାନ ମାଝୀ ନିଜର ମୃତ ସ୍ତ୍ରୀର ଶବକୁ କାନ୍ଧେଇ ନେବା ନେଇ ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଇଏ ସେହି ଇଲାକା।

Leave A Reply