ଶିଶୁ ଶ୍ରମିକଙ୍କ ଦ୍ୱାରା ଚାଲିଛି ରାସ୍ତା କାମ

0

କଲମପୁର : ରାସ୍ତା ଘାଟ ଅଭାବ କାରଣରୁ ଅଗମ୍ୟ ଜନ ବସତିକୁ ସଂଯୋଗ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି । କିନ୍ତୁ ଏହି ଅନୁଦାନରେ ଜଣଙ୍କ ବଦଳରେ ଅନ୍ୟଜଣଙ୍କର ସ୍ୱାର୍ଥ ସାଧନ ହେଉଥିବା ଅଭିଯୋଗ ହେଉଛି। ଏହି ଅନୁଦାନ ଅର୍ଥରେ ସଠିକ ମାନର ରାସ୍ତା ନିର୍ମାଣ ପାଇଁ ନିୟମ ଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଇଛାରେ ରାସ୍ତା କାର୍ୟ୍ୟ ଚାଲିଥିବାରୁ ରାସ୍ତାର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପିଡବ୍ଲ୍ୟୁଡି ରାସ୍ତାରୁ ଚମ୍ପାଚୁଆଁ ୩ କି.ମି ରାସ୍ତା ନିର୍ମାଣ ପାଇଁ ଉଭୟ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରୁ ୬୦ ଓ ୪୦ ପ୍ରତିଶତ ହାରରେ ସର୍ବମୋଟ ୧୫୪.୩୮ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଥିବା ବାଲି ହାତୀ ନଦୀରୁ ଉଠାଣ ପାଇଁ ବ୍ୟୟ ଅଟକଳରେ ଦର୍ଶାଯାଇଥିବା ବେଳେ ସ୍ଥାନିୟ ନାଳରୁ ମାଟି ମିଶା ବାଲି ବିଭିନ୍ନ କଂକ୍ରିଟ କାର୍ୟ୍ୟରେ ବ୍ୟବହାର କରାଯାଉଛି । ଏହାସହ କ୍ରସର, ଚିପ୍ସ ଓ ମେଟାଲ ବ୍ୟବହାର ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ହାତ ଭଙ୍ଗା ମେଟାଲ ବ୍ୟବହାର କରାଯାଉଥିବା ଦେଖାଯାଉଛି। ଏପରିକି ସିମେଣ୍ଟ କଂକ୍ରିଟ କାର୍ୟ୍ୟ ଚାଲିଥିଲେ ମଧ୍ୟ ବିଭାଗ ତରଫରୁ କେହି ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ ଅନେକ ସମୟରେ ସିମେଣ୍ଟ ମିଶ୍ରଣର ମାନ ଠିକ ରହୁନଥିବା ସାଧାରଣରେ ଅଭିଯୋଗ କରାଯାଉଛି। ଯାହା ଫଳରେ ରାସ୍ତାର ସ୍ଥାୟୀତ୍ୱ ନେଇ ଜନ ସାଧାରଣ ପ୍ରଶ୍ନ ଉଠାଇବା ସହ ନିର୍ମାଣ ଦାଇତ୍ୱରେ ଥିବା ଭବାନିପାଟଣା ଗ୍ରାମ ଉନ୍ନୟନ ବିଭାଜନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଏଥିପ୍ରତି ଗୁରୁତ୍ୱ ନ ଦେବା ପରିତାପର ବିଷୟ।
ଏହାସହ ରାଜ୍ୟ ସରକାର ମୁସ୍କାନ ଯୋଜନାରେ ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଥଇଥାନ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଥୁଆମୁଳ ରାମପୁର ଭଳି ଆଦିବାସୀ ଇଲାକାର ୧୨ରୁ ୧୬ ବର୍ଷର ନାବାଳକ ମାନଙ୍କୁ ଏହି ପ୍ରଧାନ ମନ୍ତ୍ରୀ ସଡକ ଯୋଜନା କାର୍ୟ୍ୟରେ ନିୟୋଜିତ କରାଯାଉଥିଲେ ମଧ୍ୟ ଏଥିପ୍ରତି କୌଣସି ଅଧିକାରୀ ସଚେତନ ନହେବା ଦୁଃଖର ବିଷୟ ପାଲଟିଛି । ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ଅଂଚଳବାସୀଙ୍କ ତରଫରୁ ଦାବୀ ହେଉଛି।

Leave A Reply