କାରଗିଲ ବିଜୟ ଦିବସ

0

ନୂଆଦିଲ୍ଲୀ : ଆଜି କାରଗିଲ ବିଜୟ ଦିବସ। ୧୯୯୯ ମସିହାରେ ‘ଅପରେସନ ବିଜୟ’ ଅଭିଯାନରେ ତଥାକଥିତ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତରୁ ବିତାଡିତ କରିବାରେ ଭାରତୀୟ ସେନା ସଫଳ ହୋଇଥିଲେ। ଏହି ବିଜୟ ଓ ଦେଶପାଇଁ ବଳିଦାନ ଦେଇଥିବା ବୀର ଯବାନମାନଙ୍କ ସ୍ମୃତିରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ ମସିହା ଆଜିର ଦିନରେ ଭାରତ ସଫଳତାର ସହ ପାକିସ୍ତାନୀ ସୈନ୍ୟମାନଙ୍କ ହାତରୁ ଭାରତର ଏହି ସର୍ବୋଚ୍ଚ ଘାଟିକୁ ନିଜ ଅକ୍ତିଆରକୁ ଆଣିଥିଲା।

ତେଣୁ ଆଜି ୧୯ ତମ କାରଗିଲ ବିଜୟ ଦିବସ ପାଳିତ ହେଉଛି। କାର୍‍ଗିଲ୍‍ ଯୁଦ୍ଧ ଦୀର୍ଘ ୬୦ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା। ଜମ୍ମୁ-କାଶ୍ମୀରର କାର୍‍ଗିଲ୍‍ ସହରସ୍ଥିତ ଦ୍ରାସ୍‍ ଯୁଦ୍ଧ ସ୍ମାରକ ଠାରେ ଉତ୍ସବ ପାଳନ ସହ ଗତ ମଙ୍ଗଳବାରଠାରୁ କାର୍‍ଗିଲ୍‍ ଦିବସ ପାଳିତ ହେଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କାରଗିଲ ବିଜୟ ଦିବସ ଅବସରରେ ଶହୀଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶପାଇଁ ପ୍ରାଣବଳି ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ କୋବିନ୍ଦ କହିଛନ୍ତି, ପ୍ରତ୍ୟେକ ଭାରତୀୟ, ସଶସ୍ତ୍ର ବାହିନୀ ଯବାନମାନଙ୍କର ବୀରତ୍ୱ ଓ ସାହସିକତାକୁ ସମ୍ମାନ କରନ୍ତି।
ସେହିପରି ଅପରେସନ୍‍ ବିଜୟ ସମୟରେ ଯେଉଁମାନେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି, ଦେଶ ସେମାନଙ୍କ ପ୍ରତି ଚିର କୃତଜ୍ଞ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, ଭାରତର ବୀର ଯବାନମାନେଦେଶକୁ ସୁରକ୍ଷିତ ରଖିବା ସହିତ ଯେଉଁମାନେ ଶାନ୍ତି ଭଙ୍ଗ କରିବାପାଇଁ ଉଦ୍ୟମ କରିଛନ୍ତି, ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ଅପରେସନ୍‍ ବିଜୟ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶକୁ ଦୃଢ଼ ନେତୃତ୍ୱ ପ୍ରଦାନ କରିଥିବାରୁ ଦେଶ ତାଙ୍କୁ ଗର୍ବର ସହ ମନେରଖିବ ବୋଲି ସେ କହିଛନ୍ତି।

ସେହିପରି ନୂଆଦିଲ୍ଲୀର ଅମର ଯବାନ ଜ୍ୟୋତିଠାରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତିନି ବାହିନୀର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Leave A Reply