କଠୋର ହେଉଛି ବଳାତ୍କାରୀଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା

0

ତିନୋଟି ରାଜ୍ୟରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା

ଚଣ୍ଡିଗଡ଼ : ବଳାତ୍କାରୀମାନଙ୍କ ପାଇଁ  ଦେଶରେ  ଦଣ୍ଡ ବ୍ୟବସ୍ଥା ଧୀରେ ଧୀରେ କଠୋର ହେବାରେ ଲାଗିଛି । ମଧ୍ୟପ୍ରଦେଶ ପରେ ରାଜସ୍ଥାନ ଓ ହରିୟାଣା ସରକାର ବଳାତ୍କାରୀମାନଙ୍କ ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିଛନ୍ତି । ଅଗକୁ ଅନ୍ୟ ରାଜ୍ୟରେ ଏଭଳି ବ୍ୟବସ୍ଥା କରିବାକୁ ବିଭିନ୍ନ ସାମାଜିକ କର୍ମୀ ଓ ସଂଗଠନ ପକ୍ଷରୁ ଦାବି କରାଯାଉଛି ।
ନିକଟରେ ହରିୟାନା ବିଧାନସଭାରେ ଏ ନେଇ ଏକ ବିଧେୟକ ପାରିତ ହୋଇଛି। ୧୨ବର୍ଷରୁ କମ୍‌ ବୟସର ବାଳିକାଙ୍କ ସହ ବଳାତ୍କାର କିମ୍ବା ଗଣ ବଳାତ୍କାର କଲେ ଅପରାଧୀମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ୧୪ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଏହି ବିଲ୍‌ରେ ବ୍ୟବସ୍ଥା ରହିଛି। ୧୪ବର୍ଷର ସଶ୍ରମ କାରାଦଣ୍ଡକୁ ପରେ ଆଜୀବନ କାରାଦଣ୍ଡରେ ପରିଣତ କରାଯିବ।
ସେହିପରି ଅପରାଧ ଆଇନ୍‌ – ହରିଆଣା ସଂଶୋଧନ ବିଲ୍‌ ୨୦୧୮ରେ ବାଳିକା ମାନଙ୍କ ପ୍ରତି ଶାରୀରିକ ଉତ୍ପୀଡନ ଭଳି ବ୍ୟବହାର ପାଇଁ ଅଭିଯୁକ୍ତମାନଙ୍କୁ ୨ବର୍ଷରୁ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଦେବା ପାଇଁ ପ୍ରସ୍ତାବ ରହିଛି। ଏହି କ୍ଷେତ୍ରରେ ଦ୍ୱିତୀୟ ଅଭିଯୁକ୍ତକୁ ତିନିବର୍ଷରୁ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ପ୍ରସ୍ତାବ ରହିଛି। କଂଗ୍ରେସକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଦଳ ରାଜ୍ୟ ବିଧାନସଭାରେ ଏହାକୁ ସମର୍ଥନ କରିଥିଲେ।
ଏହା ପୂର୍ବରୁ ରାଜସ୍ଥାନ ସରକାର ୧୨ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ  ରାଜ୍ୟ ବିଧାନସଭାରେ ନୂଆ ବିଧେୟକ ଗୃହୀତ କରାଇଥିଲେ । ପୂର୍ବରୁ ମଧ୍ୟପ୍ରଦେଶ ସରକାର ମଧ୍ୟ ଅନୁରୂପ ବିଧେୟକ ଗୃହୀତ କରାଇଥିଲେ।  ଫୌଜଦାରୀ ଆଇନ (ରାଜସ୍ଥାନ ସଂଶୋଧନ) ବିଧେୟକ ୨୦୧୮ ନାମରେ ଆଗତ ବିଧେୟକରେ ଆଇପିସିର ଧାରା ୩୭୬-ଏଏକୁ ସଂଯୋଗ କରାଯାଇଛି। ଏହି ସଂଶୋଧନ ଦ୍ୱାରା ୧୨ବର୍ଷର କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।
ଗତବର୍ଷ ଡିସେମ୍ବରରେ ମଧ୍ୟପ୍ରଦେଶ ସରକାର ଅନୁରୂପ ଆଇନ ପ୍ରଣୟନ କରିଥିଲେ। ଆଗକୁ ଅନ୍ୟ ରାଜ୍ୟମାନେ ଏଭଳି ଆଇନ ଆଣିଲେ ବଳାତ୍କାର ମାତ୍ରା ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଉଛି।

 

 

 

Leave A Reply