ଆୟୁଷ୍ମାନ ଭାରତ ଦେଶରୁ ସାମାଜିକ ବିଷମତା ଦୂର କରିବ : ପ୍ରଧାନମନ୍ତ୍ରୀ

0
ନୂଆଦିଲ୍ଲୀ :ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମ-ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଏକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ । ଛତିଶଗଡ଼ର ଅଭିଳାଷୀ (ପଛୁଆ) ଜିଲ୍ଲା ବିଜାପୁରର ଜଙ୍ଗଲା ବିକାଶ ହବ ଠାରେ ଏହି କେନ୍ଦ୍ର ଉଦଘାଟନ କରାଯାଇଥିଲା ।

ପାଖାପାଖି ଏକ ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ସଂଖ୍ୟାଧିକ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହି ବିକାଶ ହବ ଠାରେ ତାଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା ।

ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ ଅବସରରେ ସେ ଆଶା କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ସେ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ପୁଷ୍ଟିସାଧନ ଅଭିଯାନର ହିତାଧିକାରୀ ଶିଶୁ ଓ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ସେ ହାଟ ବଜାର ସ୍ୱାସ୍ଥ୍ୟ କିଓସ୍କ ପରିଦର୍ଶନ କରି ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ମତବିନିମୟ କରିଥିଲେ । ସେ ଜଙ୍ଗଲାଠାରେ ଏକ ବ୍ୟାଙ୍କ ଶାଖାର ଉଦଘାଟନ କରିଥିଲେ ଏବଂ ମୁଦ୍ରା ଯୋଜନା ଅଧୀନରେ ଚୟନ କରାଯାଇଥିବା ହିତାଧିକାରୀମାନଙ୍କୁ ଋଣ ମଞ୍ଜୁରିପତ୍ର ବାଂଟିଥିଲେ । ସେ ମଧ୍ୟ ଗ୍ରାମୀଣ ବିପିଓ କର୍ମଚାରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।

ପ୍ରଧାନମନ୍ତ୍ରୀ ଜନସଭା ସ୍ଥଳରେ ଆଦିବାସୀଙ୍କ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ବନ ଧନ ଯୋଜନାର ଶୁଭାରମ୍ଭ କରିଥିଲେ । ଲଘୁ ବନଜାତ ଦ୍ରବ୍ୟ  ପାଇଁ ମୂଲ୍ୟ ଶୃଙ୍ଖଳା ବିକଶିତ କରିବା ଏବଂ ଏଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରି ଏହାର ବଜାରୀକରଣ ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିବା ଏହି ଯୋଜନାର ଉଦ୍ଦେଶ୍ୟ ।

ଭିଡିଓ କନଫେରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଭାନୁପ୍ରତାପପୁର-ଗୁଡୁମ ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସେ ଦାଲ୍ଲୀ ରାଝାରା ଏବଂ ଭାନୁପ୍ରତାପପୁର ମଧ୍ୟରେ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ବିଜାପୁର ଡାକ୍ତରଖାନାରେ ଏକ ଡାଏଲିସିସ କେନ୍ଦ୍ରର ଉଦଘାଟନ କରିଥିଲେ ।

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଂଚଳରେ ୧୯୮୮ କିମି ଲମ୍ବ ପ୍ରଧାନମନ୍ତ୍ରୀ ଗ୍ରମୀଣ ସଡ଼କ ଯୋଜନା ରାସ୍ତା କାମ, ଅନ୍ୟ ସଡ଼କ ଯୋଗାଯୋଗ ପ୍ରକଳ୍ପ ଏବଂ ବିଜାପୁରରେ ଜଳଯୋଗାଣ ପ୍ରକଳ୍ପ ଓ ଦୁଇଟି ସେତୁ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ।

ଉତ୍ସାହୀ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଅଂଚଳରେ ବ୍ରିଟିଶ ଉପନିବେଶବାଦ ବିରୋଧରେ ଲଢ଼ି ପ୍ରାଣବଳୀ ଦେଇଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ଏହି ଅଂଚଳରେ ମାଓବାଦୀଙ୍କ ଆକ୍ରମଣରେ ପ୍ରାଣବଳି ଦେଇଥିବା ସୁରକ୍ଷାକର୍ମୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ସରକାର ପୂର୍ବରୁ ଦୁଇଟି ଯୋଜନା ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଛତିଶଗଡ଼ରୁ ହିଁ ଆରମ୍ଭ କରିଛନ୍ତି । ଆଜି ସେ ଉଲ୍ଲେଖ କରିଥିଲେ, ଆୟୁଷ୍ମାନ ଭାରତ ଏବଂ ଗ୍ରାମ ସ୍ୱରାଜ ଅଭିଯାନ ଏହି ରାଜ୍ୟରୁ ଆରମ୍ଭ ହେଉଛି ।  ସେ କହିଥିଲେ ଯେ ଗ୍ରାମ ସ୍ୱରାଜ ଅଭିଯାନ ଜରିଆରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ୪ ବର୍ଷ ମଧ୍ୟରେ ଆରମ୍ଭ କରାଯାଇଥିବା ସମସ୍ତ କଲ୍ୟାଣମୂଳକ ଯୋଜନା ସମାଜର ଗରିବ ଏବଂ ବଂଚିତ ବର୍ଗଙ୍କ ନିକଟରେ ପହଁଚିବା ସୁନିଶ୍ଚିତ ହୋଇପାରିବ । ସେ କହିଥିଲେ ଯେ ଗ୍ରାମ ସ୍ୱରାଜ ଅଭିଯାନ ଆଜି ଠାରୁ ୫ ମେ ପର୍ଯ୍ୟନ୍ତ ଜାରି ରହିବ ।

ପ୍ରଧାନମନ୍ତ୍ରୀ କହିଥିଲେ, କୋଟି କୋଟି ଲୋକଙ୍କ ମନ ଏବଂ ମସ୍ତିଷ୍କରେ “ଅଭିଳାଷା” ସୃଷ୍ଟିରେ କରିବାରେ ବାବାସାହେବ ଆମ୍ବେଦକର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ବିଜାପୁରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜାପୁର ହେଉଛି ଦେଶର ୧୦୦ରୁ ଅଧିକ ଅଭିଳଷିତ (ପଛୁଆ) ଜିଲ୍ଲା ମଧ୍ୟରୁ ଅନ୍ୟତମ ଯାହା ବିକାଶ ଯାତ୍ରାରେ ପଛରେ ପଡ଼ିଯାଇଛନ୍ତି । ସେ କହିଥିଲେ ଯେ ଏହି ଅଂଚଳଗୁଡ଼ିକର ମାନ୍ୟତା ସେ “ପଛୁଆ”ରୁ ଅଭିଳଷିତ ଜିଲ୍ଲାରେ ପରିଣତ କରିବାକୁ ଚାହୁଁଛନ୍ତି । ଏହି ଜିଲ୍ଲାଗୁଡ଼ିକ ଆଉ ଅଧିକ ଦିନ ପର୍ଯ୍ୟନ୍ତ ନିର୍ଭରଶୀଳ ଏବଂ ପଛୁଆ ରହିବେ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ ।  ସେ କହିଥିଲେ ଯେ ଯଦି ଜିଲ୍ଲା ପ୍ରଶାସନ, ଜନପ୍ରତିନିଧି ଏବଂ ଲୋକମାନେ ହାତ ମିଶାଇ ଏକ ଜନଆନ୍ଦୋଳନ ଆରମ୍ଭ କରନ୍ତି, ତା’ହେଲେ ଅପ୍ରତ୍ୟାଶିତ ଫଳାଫଳ ପ୍ରାପ୍ତ ହେବା ସମ୍ଭବ । ସେ କହିଥିଲେ ଯେ ସରକାର ଭିନ୍ନ ଆଭିମୁଖ୍ୟ ନେଇ ଏହି ୧୧୫ଟି ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଲାର ସ୍ୱତନ୍ତ୍ର ଆହ୍ୱାନ ରହିଛି । ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଏକ ଭିନ୍ନ ରଣନୀତିର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତ ଦେଶରୁ ସାମାଜିକ ବିଷମତା ଦୂର କରିବା ଏବଂ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାରେ ଦୀର୍ଘଦିନ ପର୍ଯ୍ୟନ୍ତ ସହାୟକ ହୋଇପାରିବ । ସେ କହିଥିଲେ ଯେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି ପ୍ରୟାସ କରାଯିବ । ସେ କହିଥିଲେ ଯେ ଦେଶର ୧.୫ ଲକ୍ଷ ସ୍ଥାନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଭାବେ ବିକଶିତ କରାଯିବ । ସେ କହିଥିଲେ ଯେ ୨୦୨୨ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନା କରାଯାଇଛି । ସେ କହିଥିଲେ, ଏହି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଗରିବଙ୍କ ପାଇଁ ପାରିବାରିକ ଡାକ୍ତର ଭାବେ କାର୍ଯ୍ୟ କରିବ ।

ସେ କହିଥିଲେ ଯେ ଆୟୁଷ୍ମାନ ଭାରତର ଦ୍ୱିତୀୟ ପର୍ଯ୍ୟାୟରେ ଗରିବ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ।

ଗତ ୧୪ ବର୍ଷ ଧରି ରାଜ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡ.ରମଣ ସିଂଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଶେଷ କରି ସୁକମା, ଦାନ୍ତେୱାଡ଼ା ଏବଂ ବିଜାପୁର ଆଦି ଦକ୍ଷିଣ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ ।  ସେ କହିଥିଲେ ଯେ ବସ୍ତର ଜିଲ୍ଲା ଖୁବଶୀଘ୍ର ଏକ ଅର୍ଥନୈତିକ କେନ୍ଦ୍ରରେ ପରିଣତ ହେବ । ଆଂଚଳିକ ବୈଷମ୍ୟ ଦୂର କରିବା ଲାଗି ସେ ଯୋଗାଯୋଗର ଗୁରୁତ୍ୱ ଉପରେ ଜୋର ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଆଜି ଶୁଭାରମ୍ଭ କରାଯାଇଥିବା ଯୋଗାଯୋଗ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ନିଷ୍ପତ୍ତିରେ ସମାଜର ଗରିବ ଏବଂ ଦୁର୍ବଳ ବର୍ଗଙ୍କ କଲ୍ୟାଣ ଲାଗି ପ୍ରତିବଦ୍ଧତା ରହିଛି । ଏହି ପରିପ୍ରେକ୍ଷୀରେ ସେ ବନଧନ ଯୋଜନା ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ଅନ୍ୟ ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ବେଟୀ ବଚାଓ-ବେଟୀ ପଢ଼ାଓ, ସ୍ୱଚ୍ଛ ଭାରତ ଏବଂ ଉଜ୍ଜ୍ୱଳା ଭଳି ଯୋଜନା ମହିଳାଙ୍କୁ ଲାଭାନ୍ୱିତ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଭାଗିଦାରୀ ସରକାରଙ୍କ ବଳ, ଯାହା ୨୦୨୨ ସୁଦ୍ଧା ନୂତନ ଭାରତ ନିର୍ମାଣରେ ସହାୟକ ହେବ ।

Leave A Reply