ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ

0
୨୦୨୫ ମସିହା ସୁଦ୍ଧା ଭାରତରୁ ଯକ୍ଷ୍ମା ମୂଳୋତ୍ପାଟନ ପାଇଁ  ଲକ୍ଷ୍ୟ

ନୂଆଦିଲ୍ଲୀ : ଯକ୍ଷ୍ମାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏହାର ଶୁଭାରମ୍ଭ କରିଛନ୍ତି। ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାରୋଗର ମୂଳୋତ୍ପାଟନ ପାଇଁ ଭାରତ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ମୋଦି କହିଛନ୍ତି। ୨୫ ବର୍ଷ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଯକ୍ଷ୍ମାକୁ ଏକ ଜରୁରୀ ପରିସ୍ଥିତି ଭାବେ ଘୋଷଣା କରାଯାଇଥିଲା ଏବଂ ଯକ୍ଷ୍ମା ବିରୋଧରେ ଦୀର୍ଘଦିନ ଧରି ଭାରତ ଲଢ଼େଇ ଜାରି ରଖିଛି ବୋଲି ସେ କହିଛନ୍ତି। ନୂଆଦିଲ୍ଲୀଠାରେ ଯକ୍ଷ୍ମାର ବିଲୋପ ବା ଅନ୍ତ ସମ୍ମିଳନୀ ପୃଥିବୀ ପୃଷ୍ଠରୁ ଟିବିକୁ ଚିରଦିନପାଇଁ ଲୋପ କରିବା ଦିଗରେ ଏକ ଐତିହାସିକ ଘଟଣା ହେବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯକ୍ଷ୍ମାରୋଗରୁ ମୁକ୍ତି ପାଇବା ଅତି ଆବଶ୍ୟକ। ଏହି ରୋଗର ମୂଳୋତ୍ପାଟନ ପାଇଁ ଅନେକ ନୂତନ ପଦକ୍ଷେପର ଅଂଶସ୍ୱରୂପ ବଜେଟ୍‌ରେ ଅଧିକ ଅର୍ଥ ବରାଦ ଓ ଡିବିଟି ମାଧ୍ୟମରେ ପୁଷ୍ଟି ସହାୟତା ଯୋଗାଇ ଦିଆଯାଉଛି। ଏହି ଯାଜନାକୁ ଅଧିକ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ସରକାର ବେସରକାରୀ ସଙ୍ଗଠନ ଗୁଡ଼ିକୁ ମଧ୍ୟ ଏହି ଯୋଜନାରେ ସାମିଲ୍‌ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ବିଶ୍ୱରୁ ଯକ୍ଷ୍ମାରୋଗର ମୂଳୋତ୍ପାଟନପାଇଁ ଭାରତ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଆଧାନୋସ୍‌ ଘେବ୍ରେସସ୍‌ କହିଛନ୍ତି, ଯକ୍ଷ୍ମାରୋଗ ବିରୋଧରେ ଜାରି ଥିବା ସଂଗ୍ରାମରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତ ସମେତ ଅନ୍ୟ ଦେଶଙ୍କ ପଛରେ ରହିଛି। ଯକ୍ଷ୍ମାମୁକ୍ତ ଭାରତ ଅଭିଯାନକୁ ଏକ ମିଶନ୍‌ ଭାବେ କାର୍ଯ୍ୟକାରୀ କରିବାପାଇଁ ଏକ ଜାତୀୟ ନୀତି – ଏନ୍‌ଏସ୍‌ପି ପ୍ରସ୍ତୁତ କରାଯାଉଛି। ପ୍ରତିଟି ଯକ୍ଷ୍ମାରୋଗୀକୁ ଗୁଣାତ୍ମକ ରୋଗ ନିରୂପଣ ବ୍ୟବସ୍ଥା ଉପଲବ୍ଧ କରାଇବାପାଇଁ ଏହି ଏନ୍‌.ଏସ୍‌.ପି.କୁ ୧୨ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଦକ୍ଷିଣପୂର୍ବ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ ତଥା ଟିବି ବନ୍ଦ ଭାଗିଦାରୀ ପକ୍ଷରୁ ମିଳିତଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି।

Leave A Reply