ସେବା ଓ ସଂଗ୍ରାମର ବାର୍ତ୍ତା ଦେଇଛି ଜ୍ୟୋତିଯାତ୍ରା

ଗୋପବନ୍ଧୁ ଜ୍ୟୋତି ରାଜ୍ୟ ପରିକ୍ରମାର ଉଦ୍‌ଯାପନୀ ସମାରୋହ

‘ସଜ୍ଜନଙ୍କୁ ମିଳୁ ସମ୍ମାନ’

ଭୁବନେଶ୍ୱର : ଦେଶ ମାତୃକାର ସେବାରେ ନିଜକୁ ସମର୍ପିତ କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ସେବା ଦ୍ବାରା ହିଁ ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ମାସବ୍ୟାପୀ ରାଜ୍ୟ ପରିକ୍ରମା କରିଥିବା ଗୋପବନ୍ଧୁ ଜ୍ୟୋତିଯାତ୍ରା ବାର୍ତ୍ତା ଦେଇଛି। ଏହି ଯାତ୍ରା ଗାନ୍ଧିଜୀ-ଗୋପବନ୍ଧୁଙ୍କ ନୀତି ଆଦର୍ଶ ଓ ସଂଗ୍ରାମକୁ ଉଜ୍ଜୀବିତ କରିବା ସହ ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଇଛି ବୋଲି ବିଶିଷ୍ଟ ଗାନ୍ଧିବାଦୀ, ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କହିଛନ୍ତି।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥି ଅବସରରେ ଗତ ଅକ୍ଟୋବର ୯ରୁ ଆରମ୍ଭ ହୋଇଥିବା ଜ୍ୟୋତିଯାତ୍ରା ସମଗ୍ର ରାଜ୍ୟ ପରିକ୍ରମା କରିବା ପରେ ସୋମବାର ସନ୍ଧ୍ୟାରେ ଏଠାରେ ଉଦ୍‌ଯାପିତ ହୋଇଛି। ଏହି ଅବସରରେ କିଟ୍ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଦେଶ ପରାଧୀନ ସମୟରେ ବ୍ରିଟିଶଙ୍କଠାରୁ ଆମକୁ ଲୁଣ ଓ ବସ୍ତ୍ର କିଣିବାକୁ ପଡ଼ୁଥିଲା। ହେଲେ ମହାତ୍ମା ଗାନ୍ଧୀ ଆରମ୍ଭ କରିଥିବା ଲବଣ ସତ୍ୟାଗ୍ରହ ଓ ଖଦି ଆନ୍ଦୋଳନ ଆମକୁ ସ୍ବାଧୀନତା ଆଣି ଦେଇଥିଲା। ଯେଉଁ ଖଦି ଆମକୁ ସ୍ବାଧୀନତା ଦେଇଛି ଆଜି ତାକୁ ଆମେ ଛାଡ଼ି ଦେଇଛୁ। ତେଣୁ ପ୍ରତ୍ୟେକ ଭାରତୀୟ ଖଦି ପ୍ରସ୍ତୁତ ଗୋଟିଏ ବସ୍ତ୍ର ଅବା ରୁମାଲ ନିଜ ପାଖରେ ରଖିବା ଉଚିତ। ଏହା ଆମ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରି ରଖିବ। ଏହାକୁ ମର୍ମେ ମର୍ମେ ଅନୁଭବ କରିଥିବା ଗୋପବନ୍ଧୁ ନିଜେ ପ୍ରତିଷ୍ଠା କରିଥିବା ବକୁଳ ବନରେ ଛାତ୍ରଛାତ୍ରୀଙ୍କୁ ନେଇ ଖଦି ଉଦ୍ୟୋଗ ଆରମ୍ଭ କରିଥିଲେ। ସେଠାରେ ସେ ପିଲାଙ୍କୁ କୃଷି ଶିକ୍ଷା ମଧ୍ୟ ପ୍ରଦାନ କରୁଥିଲେ। ଏହାକୁ ଆମେ ଛାଡ଼ି ଦେଲେ ଆମର ଅସ୍ତିତ୍ବ ରହିବ ନାହିଁ।

ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ‘ସମାଜ’ ପରିଚାଳନାମଣ୍ଡଳୀ ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ, ଆଜି ସର୍ବତ୍ର କେବଳ ମିଥ୍ୟାର ପ୍ରଚାର ହେଉଛି। ବିଭିନ୍ନ ମାଧ୍ୟମରେ ଦେଶ ମାତୃକାର ସେବା କରୁଥିବା ବ୍ୟକ୍ତିଙ୍କ ସମ୍ମାନ କରାଯାଉ ନାହିଁ। ଆମେ ଭୁଲିଯିବା ଉଚିତ ନୁହେଁ ଯେ ଯଦି ସଜ୍ଜନଙ୍କ ସମ୍ମାନ କରାନଯିବ, ତାହେଲେ ଦୁର୍ଜନ ମୁଣ୍ଡ ଟେକିବେ। ‘ସମାଜ’ ପକ୍ଷରୁ ପ୍ରତି ବର୍ଷ ଗୋପବନ୍ଧୁ ଜ୍ୟୋତି ସମଗ୍ର ରାଜ୍ୟ ପରିକ୍ରମା କରିବା ସହ ପୁରପଲ୍ଲୀରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚୁଛି। କୃଷକ, ସୈନିକ, ଶିକ୍ଷକ, ସାହିତ୍ୟିକ, ମେଧାବୀଙ୍କୁ ସମ୍ମାନିତ କରି ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଶ୍ରୀ ମାଲବ୍ୟ କହିଥିଲେ ଯେ ଗୋପବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ୧୦୦ ବର୍ଷ ଧରି ଅସହାୟ, ଦୁଃସ୍ଥ ଲୋକଙ୍କ ସେବା କରି ଆସୁଛି। ଲୋକଙ୍କୁ ସେମାନଙ୍କର କର୍ତ୍ତବ୍ୟ ମନେପକେଇ ଦେଉଛି। କାରଣ ସଜାଗ ବ୍ୟକ୍ତି ହିଁ ଦେଶ ନେତୃତ୍ବ ନେବାର କ୍ଷମତା ବହନ କରିଥାଏ। ଆଜି ଆମ ପରିବେଶ ବିଷମୟ ହୋଇଯାଇଛି। ଏଥିପ୍ରତି ଥିବା ଆମର ଦାୟିତ୍ବ ସମ୍ପର୍କରେ ମଧ୍ୟ ଏହି ଯାତ୍ରା ଚେତାଇ ଦେଉଛି। ଆମେ ସଜାଗ ରହିଲେ ହିଁ ଏକ ସଶକ୍ତ ଭାରତ, ବଳିଷ୍ଠ ଓଡ଼ିଶା ଗଠନ ହୋଇପାରିବ ବୋଲି ସେ କହିଥିଲେ।
ବିଶିଷ୍ଟ ଅତିଥି ଭାବେ ଓଡ଼ିଶା ନଲେଜ କର୍ପୋରେସନ୍ (ଓକେସିଏଲ୍‌)ର ପରିଚାଳନା ନିର୍ଦେଶକ ଡ. ମନୋରଞ୍ଜନ ପୁଥାଳ କହିଥିଲେ ଯେ ଓଡ଼ିଶାର ଗ୍ରାମ ସ୍ବରାଜର ଅନନ୍ୟ ସୂତ୍ରଧର ଥିଲେ ପଣ୍ଡିତ ଗୋପବନ୍ଧୁ। ମହିଳାଙ୍କୁ ଉପଯୁକ୍ତ ସମ୍ମାନ, ଶିକ୍ଷା, କୃଷି, ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ସ୍ବାକ୍ଷର ରହିଥିଲା। ସେ ସମୟରେ ଗୋପବନ୍ଧୁ ଜାଣିଥିଲେ ଯେ ଶିକ୍ଷା ହିଁ ଆମକୁ ସ୍ବାୟତ୍ତ ଓ ସ୍ବାବଲମ୍ବୀ କରିପାରିବ। ଗାନ୍ଧିଜୀ ଓ ଗୋପବନ୍ଧୁଙ୍କ ଆଦର୍ଶକୁ ପାଥେୟ କରି ଆଜି ଓକେସିଏଲ୍ ଶିକ୍ଷାର ବିକାଶ ଦିଗରେ ନିରନ୍ତର ପ୍ରୟାସ କରୁଛି ବୋଲି ସେ କହିଥିଲେ।

ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଗୋପବନ୍ଧୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଦିଲ୍ଲୀ ଦରବାର ଠାରୁ ଆରମ୍ଭ କରି ବିଚ୍ଛିନ୍ନାଞ୍ଚଳ ଓ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ସେ ପହଞ୍ଚି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ଗତ ୭ବର୍ଷ ଧରି ଗୋପବନ୍ଧୁ ଜ୍ୟୋତିଯାତ୍ରା ତାଙ୍କ ବାର୍ତ୍ତା ହିଁ ପ୍ରଚାର କରୁଛି। ଦେଶ ପାଇଁ ତ୍ୟାଗ କରିଥିବା ଲୋକଙ୍କୁ ସମ୍ମାନିତ କରୁଛି। ଏପରି ଯାତ୍ରା କେବଳ ଓଡ଼ିଶାରେ ନୁହେଁ, ବରଂ ସମଗ୍ର ଦେଶ ପରିକ୍ରମା କରିବା ଉଚିତ ବୋଲି ଶ୍ରୀ ରଥ କହିଥିଲେ।
‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି କହିଥିଲେ ଯେ, ପ୍ରତି ବର୍ଷ ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ଜ୍ୟୋତିଯାତ୍ରା ସମୟରେ ସମ୍ମାନିତ କରାଯାଉଥିବାବେଳେ ଚଳିତ ବର୍ଷ କୃଷି ଓ କୃଷକଙ୍କ ଉନ୍ନତି ବାର୍ତ୍ତା ନେଇ ଯାତ୍ରା ଆରମ୍ଭ ହୋଇଥିଲା। କୃଷିର ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଥିବା ରାଜ୍ୟର ୬୨୦ ଜଣ ଆଦର୍ଶ କୃଷକଙ୍କୁ ଜ୍ୟୋତି ଯାତ୍ରା ଅବସରରେ ସମ୍ମାନିତ କରାଯାଇଥିଲା। ସମାଜ ପ୍ରତି ବିଭିନ୍ନ ମାଧ୍ୟମରେ ସେବା ଯୋଗାଇଥିବା ୬୨୮ଜଣ ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଗୋପବନ୍ଧୁ କର୍ତ୍ତବ୍ୟବୋଧିନୀ ସମ୍ମାନ ପ୍ରଦାନ କରାଯାଇଥିଲା।
‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ଧନ୍ୟବାଦ ଦେଇଥିବାବେଳେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ରାଜେନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ଯଦୁନାଥ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ଜ୍ୟୋତିଯାତ୍ରା ଆୟୋଜନରେ ସହାୟତା କରିଥିବା ସମସ୍ତ ସହଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦେବପ୍ରସାଦ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।

ବାଲିଯାତ୍ରାକୁ ମାନ୍ୟତା ନେଇ ସମ୍ବର୍ଦ୍ଧନା
କାର୍ଯ୍ୟକ୍ରମରେ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଶ୍ରୀ ମାଲବ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଦେବେନ୍ଦ୍ର ନାଥ ସାହୁ, ସାଧାରଣ ସମ୍ପାଦକ ଭିକାରି ଦାସ, ସହ ସମ୍ପାଦକ ରବୀନ୍ଦ୍ର କୁମାର ବେହେରା, ଦୀପାୟନ ପଟ୍ଟନାୟକ, କାର୍ଯ୍ୟାଳୟ ସମ୍ପାଦକ କେଦାରନାଥ ବେହେରା, ସୁଦୀପ୍ତ ସ୍ବାଇଁ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇବା ସହ ଐତିହାସିକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ପ୍ରଦାନ ନେଇ ‘ସମାଜ’ର ନିରବଚ୍ଛିନ୍ନ ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ।

Comments are closed.