କଲେଜିୟମର ସୁପାରିସକୁ ଅଗ୍ରାହ୍ୟ କରାଯିବା ଉଚିତ ନୁହେଁ: ଜଷ୍ଟିସ୍‌ କୁରିଏନ୍‌ ଯୋଶେଫ

0

କୋଚି : ବିଚାରପତି ନିଯୁକ୍ତି ଓ ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ କରୁଥିବା ସୁପାରିସକୁ ସରକାର ଅଗ୍ରାହ୍ୟ କରିବା ଉଚିତ୍‌ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ଜଷ୍ଟିସ କୁରିଏନ୍‌ ଯୋଶେଫ କହିଛନ୍ତି। ରବିବାର ଏଠାରେ ଏକ ଉତ୍ସବରେ ଯୋଗଦେବା ଅବସରରେ ଜଷ୍ଟିସ ଯୋଶେଫ ସାମ୍ବାଦିକଙ୍କୁ କହିଛନ୍ତି ଯେ କଲେଜିୟମର ସୁପାରିସକୁ ସରକାର ଅଗ୍ରାହ୍ୟ କରିବା କାରଣରୁ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେଏମ୍‌ ଯୋଶେଫଙ୍କ ପଦୋନ୍ନତି ପାଇଁ କଲେଜିୟମ୍‌ କରିଥିବା ସୁପାରିସକୁ ସରକାର ଫେରାଇଦେବାର କିଛି ଦିନ ପରେ ଜଷ୍ଟିସ ଯୋଶେଫ ଏପରି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ ଯୋଶେଫ ସୁପ୍ରିମକୋର୍ଟ କଲେଜିୟମ୍‌ର ଅନ୍ୟତମ ସଦସ୍ୟ। ଜଷ୍ଟିସ କେ ଏମ ଯୋଶେଫଙ୍କ ପଦୋନ୍ନତି ସୁପାରିସକୁ ସରକାର ଫେରାଇ ଦେବା ଉପରେ କଲେଜିୟମ୍‌ ପୁନର୍ବିଚାର କରିଛନ୍ତି। ଏ ସମ୍ପର୍କରେ କଲେଜିୟମ୍‌ ତାଙ୍କର ନିଷ୍ପତ୍ତି ଜଣାଇ ନାହାନ୍ତି। ବିଚାରପତି ନିଯୁକ୍ତିକୁ ନେଇ ସରକାର ଓ ନ୍ୟାୟପାଳିକା ମଧ୍ୟରେ ବାଦ ବିବାଦ ଲାଗି ରହିଛି। ନିକଟରେ କେତେକ ହାଇକୋର୍ଟରେ ବିଚାରପତି ପଦ ଖାଲିକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ଦାୟୀ କରିଥିଲେ। ମାତ୍ର ସରକାର ଏହାକୁ ଅସ୍ୱୀକାର କରିବା ସହ ବିଚାରପତି ପଦ ଖାଲି ପାଇଁ ସୁପ୍ରିମକୋର୍ଟଙ୍କୁ ଦାୟୀ କରିଥିଲେ। ସରକାର କହିଥିଲେ ଯେ ବିଚାରପତି ନିଯୁକ୍ତି ଲାଗି ସୁପ୍ରିମକୋର୍ଟ କଲେଜିୟମ୍‌ ଆବଶ୍ୟକ ସଂଖ୍ୟାରେ ନାମ ସୁପାରିସ କରୁନାହାନ୍ତି। ଜାନୁଆରୀ ୧୦ରେ କଲେଜିୟମ୍‌ କେଏମ୍‌ ଯୋଶେଫ ଓ ଇନ୍ଦୁ ମାଲହୋତ୍ରାଙ୍କ ନାମ ସୁପ୍ରିମକୋର୍ଟ ବିଚାରପତି ପଦ ଲାଗି ସୁପାରିସ କରିଥିଲେ। ଏପ୍ରିଲ ୨୬ରେ ସରକାର ଇନ୍ଦୁଙ୍କ ନାମକୁ ଅନୁମୋଦନ କରିଥିବାବେଳେ ଯୋଶେଫଙ୍କ ନାମକୁ ଅଗ୍ରାହ୍ୟ କରିଦେଇଥିଲେ।

Leave A Reply