ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି କୃଷ୍ଣପ୍ରସାଦ ମହାପାତ୍ରଙ୍କ ପରଲୋକ

0

ଉତ୍ତରଭୁବନେଶ୍ୱର/କଟକ : ପୂର୍ବତନ ଲୋକପାଳ ତଥା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି କୃଷ୍ଣପ୍ରସାଦ ମହାପାତ୍ରଙ୍କ ଶୁକ୍ରବାର ସକାଳ ୭ଟା ୨୦ ମିନିଟ୍‌ରେ ଏଠାରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ତାଙ୍କୁ ୯୩ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ପୁଅ ତଥା ଭୀମ୍‌ସାର ନିର୍ଦେଶକ ଡ. ପ୍ରକାଶ ଚନ୍ଦ୍ର ମହାପାତ୍ର, ମଧ୍ୟମ ପୁତ୍ର ପୂର୍ବତନ ଆର୍‌ଡିସି ବିକାଶ ଚନ୍ଦ୍ର ମହାପାତ୍ର, ସାନପୁଅ ଡ. ଏସ୍‌କେ ମହାପାତ୍ର ,ତିନି ବୋହୂ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଫରେଷ୍ଟ ପାର୍କସ୍ଥିତ ବାସଭବନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ୧୯୮୪ ଜୁନ୍‍ରେ ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟ କରି ୧୯୯୦ ଏପ୍ରିଲରେ ସେ ଅବସର ଗ୍ରହଣ କରିଥିଲେ। ହାଇକୋର୍ଟର ବିଚାରପତି ଏ.କେ.ରଥ, ବି.ଆର ଷଡ଼ଙ୍ଗୀ ,ଅବସରପ୍ରାପ୍ତ ବିଚାରପତି ବି.ଏନ. ମହାପାତ୍ର ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଏସ.ଏନ. ତିୱାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ବଡ଼ପୁଅ ପ୍ରକାଶ ମୁଖାଗ୍ନି ଦେଇଥିଲେ।
ସ୍ବର୍ଗତ ମହାପାତ୍ର ଆଇନ ସେବାରେ ଦୀର୍ଘ ୨ ଦଶନ୍ଧି ଧରି ନିଜର କାର୍ଯ୍ୟ ସମ୍ପାଦନ କରିଆସିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ୍ ପଶାୟତ ଜଷ୍ଟିସ୍‌ ମହାପାତ୍ରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଜଷ୍ଟିସ ମହପାତ୍ର ୧୯୨୮ ଏପ୍ରିଲ ୧୨ରେ ବରଗଡ଼ ଅଞ୍ଚଳରେ ଜନ୍ମଗ୍ରହଣ କରି ଜର୍ଜ ହାଇସ୍କୁଲ ଏବଂ ସମ୍ବଲପୁର ଜିଲା ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। କଟକ ରେଭେନ୍ସା କଲେଜରେ ବିଏ ଏବଂ ଏଲଏଲବି ପାସ କରି ସମ୍ବଲପୁରରେ ପ୍ରଥମକରି ୧୯୪୯ରୁ ୧୯୫୩ ପର୍ଯ୍ୟନ୍ତ ୪ ବର୍ଷ ଧରି ଆଇନ ବ୍ୟବସାୟ କରି ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୫୫ରେ ପ୍ରଥମକରି କଟକ ଜିଲା କୋର୍ଟରେ ଯୋଗଦେଇ ୧୯୭୦ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ସେ କାମ କରିଥିଲେ। ୧୯୭୧ରୁ ୧୯୭୪ ପର୍ଯ୍ୟନ୍ତ କଟକ ହାଇକୋର୍ଟରେ ରେଜିଷ୍ଟାର ଭାବେ କାର୍ଯ୍ୟ କରିଥିବା ବେଳେ ୧୯୭୪/୭୫ରେ ବର୍ଷକ ପାଇଁ ଜିଲାଜଜ୍‌ ଭାବେ କାର୍ଯ୍ୟ କରିଥିଲେ। ୧୯୭୬ରୁ ୭୮ ପର୍ଯ୍ୟନ୍ତ ସେ କଟକ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରେ ରହିବା ସହ ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ବଲାଙ୍ଗିର, କଳାହାଣ୍ଡି ଜିଲାଜଜ୍ ଦାୟିତ୍ୱରେ ଥିଲେ। ସେ ମଧ୍ୟ କଟକ, ଗଞ୍ଜାମ, ବୌଦରେ ଜିଲାଜଜ୍‌ ଭାବେ କାର୍ଯ୍ୟ କରିଥିଲେ। ୧୯୮୪ ଜୁନ୍‍ରେ ହାଇକୋର୍ଟ ବିଚାରପତି ଭାବେ କାର୍ଯ୍ୟକରି ୧୯୯୦ ଏପ୍ରିଲରେ ଅବସର ଗ୍ରହଣ କରିଥିଲେ। ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ୫ ବର୍ଷ ଧରି ତୃତୀୟ ଲୋକପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଆସିଥିବା ବେଳେ ଉତ୍କଳ ସମ୍ମିଳନୀର ଉପସଭାପତି ଦାୟିତ୍ୱ ତୁଲାଇଥିଲେ।

Leave A Reply