ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବୋବ୍‌ଡେ

ନୂଆଦିଲ୍ଲୀ: ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଜଷ୍ଟିସ ବୋବ୍‌ଡେଙ୍କୁ ପଦ ଓ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି। ଜଷ୍ଟିସ ବୋବ୍‌ଡେ ପାଖାପାଖି ବର୍ଷେ ୫ ମାସ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ତୁଲାଇବେ। ଆସନ୍ତା ୨୦୨୧ ଏପ୍ରିଲ୍‌ ୨୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ସେ ସେହିଦିନ ଅବସର ଗ୍ରହଣ କରିବେ। ଜଷ୍ଟିସ ବୋବ୍‌ଡେ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିବା ୫ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ।

୧୯୫୬ ଏପ୍ରିଲ ୨୪ରେ ଜଷ୍ଟିସ୍ ବୋବ୍‌ଡେ ନାଗପୁରରେ ଜନ୍ମ ଗ୍ରହଣ କରିଥିଲେ। ୨୦୦୦ ମସିହାରେ ସେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ସୂଚନାଯୋଗ୍ୟ, ଜଷ୍ଟିସ ବୋବ୍‌ଡେଙ୍କ ପୂର୍ବରୁ ଜଷ୍ଟିସ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ତୁଲାଇଥିଲେ। ଗତ ୧୭ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।

Comments are closed.