ସାମ୍ବାଦିକତା ମନୋଭାବ ସମ୍ବାଦପତ୍ରକୁ ପରିପୁଷ୍ଟ କରେ

ସମାଜ ପୋର୍ଟାଲ ଡେସ୍କ: ସମ୍ବାଦ ପରିବେଷଣ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି ଏବଂ ବିଶେଷ କରି ସମ୍ବାଦପତ୍ରଗୁଡିକୁ ତିଷ୍ଠି ରହିବା ପାଇଁ ସାମ୍ବାଦିକତା ମନୋଭାବ ଅପରିହାର୍ଯ୍ୟ ବୋଲି ଇଣ୍ଡିଆ ଟୁଡେର ସମ୍ପାଦକ ଅଂଶୁମାନ ତିୱାରୀ କହିଛନ୍ତି। ସମାଜ ସମ୍ପାଦକ ବାମପଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରସ୍ତିତ ଦୈନିକ ସମ୍ବାଦପତ୍ର ‘ସମାଜ’ ପରିସରରେ ଆୟୋଜିତ ଏକ ଆଲୋଚନା ଚକ୍ରରେ ଯୋଗଦେଇ ଇଣ୍ଡିଆ ଟୁଡେର ସମ୍ପାଦକ କହିଛନ୍ତି, ସମ୍ବାଦ ପ୍ରସ୍ତୁତ କରୁଥିବା ସାମ୍ବାଦିକମାନେ ନିଜକୁ ସାଧାରଣ ଘଟଣାବଳୀ ସହ ଜଡିତ ରଖିବା ଆବଶ୍ୟକ। ତଥ୍ୟ ସଂଗ୍ରହ ସମୟରେ ପୂର୍ବାପର ପ୍ରସଙ୍ଗ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନ ଥିଲେ ସେଭଳି ସମ୍ବାଦ ପାଠକ ମନରେ ଦ୍ଵନ୍ଦ ସୃଷ୍ଟି କରିବା ସହ ସୂଚନା ଅସମ୍ପୂର୍ଣ୍ଣ ରହିଥାଏ ବୋଲି ଅଂଶୁମାନ କହିଛନ୍ତି। ବର୍ତ୍ତମାନ ସମୟରେ ଭାଷାଭିତ୍ତିକ ସମ୍ବାଦ ପରିବେଷଣର ଚାହିଦା ବୃଦ୍ଧି ପାଉଥିବାରୁ ଏବଂ ଫେସବୁକ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମଗୁଡିକ ସକ୍ରିୟ ହେଉଥିବାରୁ ତାହା ସମ୍ବାଦପତ୍ର ଶିଳ୍ପ ପ୍ରତି ଆହ୍ୱାନ ସୃଷ୍ଟି କରିଛି। 

ଆଲୋଚନାର ଅନ୍ୟତମ ଅତିଥି ପ୍ରସାରଭାରତୀର ପୂର୍ବତ୍ତନ ମହାନିର୍ଦ୍ଦେଶକ ଅନିଲ ସେନ ଗୁପ୍ତା  ସରକାରୀ କାର୍ଯ୍ୟାଳୟ ଓ ସରକାରୀ ସଂସ୍ଥାଗୁଡ଼ିକରୁ ସମ୍ବାଦ ସଂଗ୍ରହ ବେଳେ କେଉଁସବୁ ଅସୁବିଧାର ସାମ୍ନା କରିବାକୁ ହୁଏ ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଗତ ଦଶନ୍ଧିରେ ସମ୍ବାଦ ପରିବେଷଣର ବିଭିନ୍ନ ମାଧ୍ୟମ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ଓ ସେଗୁଡିକୁ ସାବଧାନତାର ସହ ଗ୍ରହଣ କରିପାରିଲେ ସମ୍ବାଦପତ୍ର ତିଷ୍ଠି ରହିପାରିବ।

ସମାଜର ପରିଚାଳନା ନିର୍ଦ୍ଦେଶକ ପ୍ରିୟବ୍ରତ ମହାନ୍ତି ଏହି ଆଲୋଚନା ଚକ୍ରରେ ଯୋଗଦେଇ ଆସନ୍ତା ଅକ୍ଟୋବର ୪ତାରିଖରେ ପାଳନ ହେବାକୁ ଥିବା ସମାଜର ୧୦୦ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ସମାଜ ଅନଲାଇନ ପୋର୍ଟାଲ ମୁଖ୍ୟ ମହେଶ ଶର୍ମା ଓ ମୁଖ୍ୟ ସଂଯୋଜକ ସୁରେଶ ମନ୍ତ୍ରୀ ପ୍ରମୁଖ ଯୋଗେଇଥିଲେ।

Comments are closed.