ଛାତ୍ରୀଙ୍କୁ ଅସଦାଚରଣ ଘଟଣା ; ପ୍ରଧାନ ଶିକ୍ଷକ ଗିରଫ

ଯୋଡ଼ା : କେନ୍ଦୁଝର ଜିଲା ଯୋଡ଼ା ବ୍ଲକର ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବାସିକ ଛାତ୍ରୀ ନିବାସରେ ପ୍ରଧାନ ଶିକ୍ଷକ ନିଶାପାନ କରି ଅସଦାଚରଣ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଚମ୍ପୁଆ ଓ ଯୋଡା ଶିକ୍ଷା ବ୍ଲକ ଦାୟୀତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ (ବି.ଇ.ଓ) ଗୋବର୍ଦ୍ଧନ ନାଏକ  ଅବଗତ ହେବାପରେ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି।

ସୂଚନା ଅନୁଯାୟୀ, ଯୋଡା ବ୍ଲକର ବେଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆବସିକ ଛାତ୍ରୀ ନିବାସରେ ରହନ୍ତି ୩୮ଜଣ ଛାତ୍ରୀ ରହନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ମଦ୍ୟପାନ କରି ବିଭିନ୍ନ ସମୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା ସହ ଛାତ୍ରୀ ମାନଙ୍କୁ ଅସାମ୍ବିଧାନିକ ଭାଷାରେ ଗାଳି ଗୁଲଜ କରିଥାନ୍ତି ବୋଲି ଅଭିଯୋଗ ହୋଇଛି। ଏପରିକି ଆବାସିକା ଛାତ୍ରୀଙ୍କୁ ସେମାନଙ୍କ ଇଛା ବିରୁଦ୍ଧରେ ପ୍ରଧାନ ଶିକ୍ଷକ  ବିଦ୍ୟାଳୟ ଓ ଛାତ୍ରୀନିବାସ କ୍ୟାମ୍ପସରେ ଶ୍ରମିକ ମାନଙ୍କ ଭଳି କାମ କରାନ୍ତି । ତେବେ ଗତକାଲି ସନ୍ଧ୍ୟାରେ ସମ୍ପୃକ୍ତ ଶିକ୍ଷକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଛାତ୍ରୀନିବାସ ଅନ୍ତେଃବାସିନୀଙ୍କୁ ଟଣା ଓଟରା କରିଥିଲେ। ଭୟରେ ୧୫ଜଣ ଛାତ୍ରୀ ହଷ୍ଟେଲ ଛାଡି ବେଲଦା ଗାଁରେ ଥିବା ରଞ୍ଜନ ମହାକୁଡଙ୍କ ଘରେ ଆଶ୍ରୟ ନେଇଥିଲେ। ଏ ସମ୍ବନେ୍ଧ ରଞ୍ଜନ ମହାକୁଡ ବାମେବାରୀ ଥାନାକୁ ଖବର ଦେବା ସହ ଅନ୍ୟମାନେ ସମ୍ପୃକ୍ତ ବିଦ୍ୟାଳୟର ମହିଳା ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମହାନ୍ତଙ୍କୁ ଏ ସମ୍ବନେ୍ଧ ମଧ୍ୟ ଅବଗତ କରିଥିଲେ। ଖବର ପାଇ ତୁରନ୍ତ ବାମେବାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକକୁ ଅଟକ ରଖି ମହିଳା ଶିକ୍ଷୟତ୍ରୀକୁ ଅନ୍ତେଃବାସିନୀ ୧୫ ଜଣଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏହି ଘଟଣାରେ ବାମେବାରୀ ପୁଲିସ ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ରଙ୍କୁ ପଚରା ଉଚୁରା କରିବାପରେ ଗିରଫ କରି ଶନିବାର ଅପରାହ୍ନରେ କୋର୍ଟଚାଲାଣ କରିଥିବାର ବାମେବାରୀ ଥାନା ଅଧିକାରୀ ରାଇସେନ ମୁର୍ମୁ ସୂଚନା ଦେଇଛନ୍ତି।

Comments are closed.