ଭତ୍ତା ନେଇ ଫେରୁଥିବା ସମୟରେ ରେଳଧାରଣାରେ କଟି ଚାଲିଗଲା ବୃଦ୍ଧଙ୍କ ଜୀବନ

ଯୋଡା: ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଦେଓଝର ରେଳ ଷ୍ଟେସନ ସନ୍ନିକଟରେ ରେଳ ଧାରଣାରେ କଟି ଭତ୍ତା ନେଇ ଘରକୁ ଫେରୁଥିବା ଗୋବର୍ଦ୍ଧନପୁର ଗ୍ରାମର ବୁଧୁରାମ ମୁଣ୍ଡା ନାମକ ଜୈନିକ ବୃଦ୍ଧଙ୍କ ଅଭାବନୀୟ ମୃତ୍ୟୁ ଘଟଣା ସ୍ଥାନୀୟ ଅଧିବାସୀଙ୍କୁ ସ୍ତବ୍ଧ କରିଛି। ଧାରଣାରେ ଛିଡା ହୋଇଥିବା ରେଳର ଦୁଇ ବଗି ସଂଯୋଗସ୍ଥଳୀ ଶୂନ୍ୟ ସ୍ଥାନରେ ବଗି ତଳେ ଗଳି ରେଳ ଧାରଣାର ଆର ପଟକୁ ଯିବାକୁ ଉଦ୍ୟମ କରୁଥିବା ସମୟରେ ରେଳଟି ଚଳନକ୍ଷମ ହେବାରୁ ଏହି ଦୁର୍ଘଟଣା ଘଟିଥିବାର ସୂଚନାରୁ ପ୍ରକାଶ।
ସମ୍ପୂର୍ଣ୍ଣ ବିବରଣୀରୁ ପ୍ରକାଶ,ଯୋଡା ବ୍ଲକ ଦେଓଝର ପଞ୍ଚାୟତ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମ କଦଳୀବାଡି ମୁଣ୍ଡାସାହି ହାମ୍ଲେଟ୍ ବାସୀନ୍ଦା ବୁଧୁରାମ ମୁଣ୍ଡା ଶୁକ୍ରବାର ଦିନ ନିଜ ଭତ୍ତା ଆଣିବା ନିମନ୍ତେ ଦେଓଝର ପଞ୍ଚାୟତ କାର୍ୟ୍ୟାଳୟକୁ ଯାଇଥିଲେ। ଅପରାହ୍ନରେ ଭତ୍ତା ନେଇ ଗ୍ରାମକୁ ଫେରୁଥିବା ରାସ୍ତାରେ ଦେଓଝର ରେଳ ଷ୍ଟେସନରୁ ଅନିତି ଦୂରରେ ଜିନ୍ଦଲ କାରଖାନାକୁ କଞ୍ଚାମାଲ ବୋଝେଇ ନିମନ୍ତେ ୬ ନମ୍ବର ରେଳ ଧାରଣାରେ ଛିଡାହୋଇଥିବା ରେଳର ୱାଗନ ତଳେ ଗଳି ରେଳ ଧାରଣାର ଅପର ପଟକୁ ଯିବା ନିମନ୍ତେ ବୁଧୁରାମ ମୁଣ୍ଡା ପ୍ରୟାସ କରିଥିଲା। ଗଳିଥିବା ଅବସରରେ ଅସାବଧାନତା ବଶତଃ ବୁଧୁରାମ ବେକରେ ଗୁଡାଇ ଥିବା ଏକ ଗାମୁଛା ଦୁଇଟି ୱାଗନର ସଂଯୋଗ ସ୍ଥଳରେ ଲାଖି ଯାଇଥିଲା। ଗାମୁଛାଟିକୁ ମୁକୁଳାଇବା ନିମନ୍ତେ ବୁଧୁରାମ ପ୍ରୟାସ କରୁଥିବା ସମୟରେ ରେଳଟି ଗତିଶୀଳ ହେବା କାରଣରୁ ବୁଧୁରାମ ରେଳ ଧାରଣାରେ ଘୋଷାଡି ହୋଇ କଟି ମୃତ୍ୟୁବରଣ କରିଥିବାର ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଖବର ପାଇ ବିଲେିପଦା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରଟିକୁ ଉଦ୍ଧାର କରିଥିବାର ଖବର ମିଳିଛି।

Comments are closed.