ଦୀକ୍ଷାନ୍ତ ସମାରୋହ ବେଳେ ଜେଏନୟୁ ଛାତ୍ରଙ୍କ ବିଶାଳ ବିକ୍ଷୋଭ ଶୋଭାଯାତ୍ରା, ବ୍ୟାରିକେଡ୍‌ ଭାଙ୍ଗିବାବେଳେ ପୁଲିସ ସହ ଧସ୍ତାଧସ୍ତି

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଫି’ ବୃଦ୍ଧିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ସୋମବାର ଜେଏନୟୁର ୩ୟ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେଉଥିବାବେଳେ ବାହାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଛାତ୍ରଛାତ୍ରୀମାନେ ବିକ୍ଷୋଭ ସମୟରେ ବ୍ୟାରିକେଡ୍‌ ଭାଙ୍ଗିଦେବାରୁ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଛି।

ବିଶ୍ଵବିଦ୍ୟାଳୟରେ ଫିକୁ ଅହେତୁକ ବୃଦ୍ଧି କରାଯାଇଥିବାରୁ ଜେଏନୟୁ ଛାତ୍ର ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଏ ଦିଗରେ କର୍ତ୍ତୃପକ୍ଷ ନୀରବ ରହିଥିବାବେଳେ ସେମାବାର ବିଶ୍ଵବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଉଛି। ଏଥିରେ ଉପରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାନ ନିଶଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଛାତ୍ରଛାତ୍ରୀମାନେ ଫି ବୃଦ୍ଧିକୁ ବିରୋଧ କରି କ୍ୟାମ୍ପସ ବାହାରେ ପୂର୍ବାହ୍ନରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ସେମାନଙ୍କୁ ଅଟକାଇବା ଲାଗି ବହୁ ସଂଖ୍ୟାରେ ଯବାନ ଏବଂ ପୁଲିସ ମୁତୟନ ହୋଇଥିଲେ। ବିକ୍ଷୋଭ ବେଳେ କେତେଜଣ ଛାତ୍ରଛାତ୍ରୀ ବ୍ୟାରିକେଡ୍‌ ଭାଙ୍ଗିବାରୁ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ଯେପର୍ଯ୍ୟନ୍ତ ଫି ବୃଦ୍ଧିକୁ ହ୍ରାସ କରାଯାଇ ନାହିଁ ସେପର୍ଯ୍ୟନ୍ତ ଦୀକ୍ଷାନ୍ତ ସମାରୋହକୁ ସେମାନେ ଗ୍ରହଣ କରିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

Comments are closed.