ଫି’ ବୃଦ୍ଧି ବିରୋଧରେ ବିକ୍ଷୋଭ : ଜେଏନ୍‌ୟୁରେ ଛାତ୍ର-ପୁଲିସ ସଂଘର୍ଷ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଫି’ ବୃଦ୍ଧିକୁ ବିରୋଧ କରିଆସୁଥିବା ଜବାହାରଲାଲ ​ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଛାତ୍ରଛାତ୍ରୀମାନେ ସୋମବାର ଦିଲ୍ଲୀ ରାସ୍ତାରେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗୋଟିଏ ପଟେ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ ଚାଲିଥିବା ବେଳେ ଅନ୍ୟପଟେ ଏହାର ହଜାର ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ କରିଥିଲେ। ଏଥିରେ ଏବିଭିପି, ଏଆଇଏସଏଫ, ଏସଏଫଆଇ ସମେତ ସମସ୍ତ ଛାତ୍ର ସଂଗଠନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରଦର୍ଶନକାରୀ ଛାତ୍ରଛାତ୍ରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ଘଟିଛି। କେତେକ ସ୍ଥାନରେ ସ୍ଥିତି ଅଧିକ ଉଗ୍ର ହେବାରୁ ପୁଲିସକୁ ବିକ୍ଷୋଭକାରୀଙ୍କୁ ହଟାଇବା ଲାଗି ପାଣି ମାଡ଼ କରିଥିଲା। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ବିଶ୍ବବିଦ୍ୟାଳୟର ଅଡିଟୋରିୟମରେ ଉପସ୍ଥିତ ଥିବାବେଳେ ଛାତ୍ରଛାତ୍ରୀମାନେ ସେଆଡକୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଯିବାକୁ ଚାହିଁଥିଲେ। ଜେଏନୟୁଠାରୁ ୩ କିଲୋମିଟର ଦୂର ଏଆଇସିଟିଇର ଫାଟକକୁ ବନ୍ଦ କରି ଦିଆଯାଇଥିଲା; କିନ୍ତୁ ଛାତ୍ରଛାତ୍ରୀମାନେ ପୂର୍ବାହ୍ଣ ୧୧ଟା ୩୦ ବେଳକୁ ପୁଲିସର ବାରିକେଡ ଭାଙ୍ଗି ଆଗକୁ ବଢିବାରୁ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ହାତରେ ପ୍ଲାକାର୍ଡ ଧରିଥିବା ଛାତ୍ରଛାତ୍ରୀମାନେ ଦିଲ୍ଲୀ ପୁଲସ ଫେରିଯାଅ ବୋଲି ସ୍ଲୋଗାନ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ବିକ୍ଷୋଭ କାରଣରୁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଆୟୋଜନ ସ୍ଥଳରୁ ବାହାରକୁ ବାହାରି ପାରି ନ ଥିଲେ। ପୋଖରିଆଲଙ୍କ କାର୍ଯ୍ୟାଳୟ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଦାବି ପୂରଣ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନେ କୂଳପତିଙ୍କୁ ଭେଟିବାକୁ ଜିଦ ଧରିଥିଲେ। ଭିସିଙ୍କ ସହିତ ବୈଠକ ପାଇଁ ଛାତ୍ରଛାତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ପୋଖରିଆଲ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.