ଏପଟେ କାଶ୍ମୀରରେ ରାଜ୍ୟପାଳ ଶାସନ ସେପଟେ ଦେଶରେ ବଦଳିଗଲେ ୫ଜଣ ପ୍ରଧାନମନ୍ତ୍ରୀ

0

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନକୁ ନେଇ ରାଜନୈତିକ ଚହଳ ସୃଷ୍ଟି ହୋଇଥିଲେ ମଧ୍ୟ ଇତିହାସକୁ ତର୍ଜମା କଲେ ଜମ୍ମୁ- କାଶ୍ମୀର ପାଇଁ ରାଜ୍ୟପଳ ଶାସନ ନୂଆ ନୁହେଁ। ବିଗତ ୪ ଦଶନ୍ଧି ମଧ୍ୟରେ ଜମ୍ମୁ କାଶ୍ମୀରରେ ୭ଥର ରାଜ୍ୟପାଳ ଶାସନ ଜାରି ହୋଇଥିଲା। କେବଳ ରାଜ୍ୟପାଳ ଏନଏନ ଭୋରାଙ୍କ କାର୍ଯ୍ୟକାଳ ସମୟରେ ଜମ୍ମୁରେ ୪ଥର ରାଜ୍ୟପାଳ ଶାସନ ଜାରି ହୋଇଛି। ଭୋରା ୨୦୦୮ ଜୁନ ୨୫ରେ କାଶ୍ମୀର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଥିଲେ।
ଜମ୍ମୁରେ ରାଜ୍ୟପାଳ ଶାସନ ଥରେ ଏତେ ଲମ୍ବା ଚାଲିଥିଲା ଯେ, ଦେଶରେ ୫ଜଣ ପ୍ରଧାନମନ୍ତ୍ରୀ ବଦଳି ଯାଇଥିଲେ। ଇତିମଧ୍ୟରେ ରାଜ୍ୟରେ ୮ଥର ରାଜ୍ୟପାଳ ଶାସନ ଲାଗୁ ହୋଇଛି।
ପ୍ରଥମ ଥର ୨୬ମାର୍ଚ୍ଚ ୧୯୭୭ରୁ ୯ଜୁଲାଇ ୧୯୭୭ ମୋଟ୍‍ ୧୦୫ଦିନ ଚାଲିଥିଲା। ସେ ସମୟରେ ମୁଫତି ମହମ୍ମଦ ସୟିଦ ନେତୃତ୍ୱରେ ପ୍ରଦେଶ କଂଗ୍ରେସ ଦଳ ସେକ୍‍ ଅବଦୁଲ୍ଲା ସରକାର ସହ ମେଣ୍ଟ ଭାଙ୍ଗି ଦେଇଥିଲେ। ଫଳରେ ପ୍ରଥମ ଥର ପାଇଁ କାଶ୍ମୀରରେ ରାଜ୍ୟପାଳ ଶାସନ ବଳବତ୍ତର ହୋଇଥିଲା।
ଦ୍ୱିତୀୟ ଥର ୬ମାର୍ଚ୍ଚ ୧୯୮୬ରୁ ୭ନଭେମ୍ବର ୧୯୮୬ ମୋଟ୍‍ ୨୪୬ଦିନ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ଏହି ସମୟରେ ମଧ୍ୟ ମୁଫତି ମହମ୍ମଦ ତାଙ୍କ ସମର୍ଥନ ସେକ ଅବଦୁଲ୍ଲାଙ୍କ ଭାଇ ଗୁଲାମ ମହମ୍ମଦ ଶାହଙ୍କ ସରକାରରୁ ପ୍ରତ୍ୟାହାର କରି ନେଇଥିଲେ।
ତୃତୀୟ ଥର କାଶ୍ମୀରରେ ସବୁଠାରୁ ଲମ୍ବା ରାଜ୍ୟପାଳ ଶାସନ ଚାଲିଥିଲା। ୧୯ଜାନୁଆରୀ ୧୯୯୦ରୁ ୯ଅକ୍ଟୋବର ୧୯୯୬ପର୍ଯ୍ୟନ୍ତ ରାଜ୍ୟରେ ରାଜ୍ୟପାଳ ଶାସନ ଚାଲିଥିଲା। ମୋଟ୍‍ ୬ ବର୍ଷ ୨୬୪ଦିନ ରାଜ୍ୟରେ ରାଜ୍ୟପାଳ ଶାସନ ଚାଲିଥିଲା। ୧୯୯୦ରେ ଜଗମୋହନଙ୍କୁ ରାଜ୍ୟପାଳ ନିଯୁକ୍ତି କରାଯିବାରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଇସ୍ତଫା ଦେଇଥିଲେ। ରାଜ୍ୟରେ ଆତଙ୍କବାଦ ଚରମ ସୀମାରେ ଥିବାରୁ ନିର୍ବାଚନ ହୋଇ ପାରି ନଥିଲା। ସେ ସମୟରେ କେନ୍ଦ୍ର ରାଜନୀତିରେ ମଧ୍ୟ ଅସ୍ଥିରତା ଲାଗି ରହିଥିଲା। ଦେଶରେ ୪ଜଣ ପ୍ରଧାନମନ୍ତ୍ରୀ ବଦଳି ଯାଇଥିଲେ। ୧୯ଜାନୁଆରୀ ୧୯୯୦ରେ ରାଜ୍ୟପାଳ ଶାସନ ଲାଗିଲା ସେତେବେଳେ ବିପି ସିଂହ ପ୍ରଧାନମନ୍ତ୍ରୀ ଥିଲେ। ୧୦ ନଭେମ୍ବର ୧୯୯୦ରେ ଚନ୍ଦ୍ରଶେଖର ଭାରତର ପ୍ରଧାନମନ୍ତ୍ରୀ ହେଲେ। ୨୧ଜୁନ୍‍ ୧୯୯୧ରେ ନରସିଂଭା ରାଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ। ଏହି ସରକାର ୪ବର୍ଷ ଶାସନ ଦାୟିତ୍ୱ ତୁଲାଇ ଥିଲେ ମଧ୍ୟ ଜମ୍ମୁରେ ରାଜ୍ୟପାଳ ଶାସନ ବଳବତ୍ତର ଥିଲା। ୧୬ମେ ୧୯୯୬ରେ ଅଟଳ ବିହାରୀ ବଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହେଲେ। ଶ୍ରୀ ବାଜପେୟୀ ୧୬ଦିନ ପାଇଁ ପ୍ରଧାନମନ୍ତ୍ରୀ ହେଲେ କିନ୍ତୁ ଜମ୍ମୁରେ ରାଜ୍ୟପାଳ ଶାସନ ବଳବତ୍ତର ଥିଲା। ଶେଷରେ ଏଚଡି ଦେବଗୌଡ଼ା ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ। ତାଙ୍କ ଶାସନ କାଳରେ ଜମ୍ମୁରେ ରାଜ୍ୟପାଳ ଶାସନର ଅନ୍ତଃ ଘଟିଥିଲା।
ଚତୁର୍ଥ ଥର ମଧ୍ୟ ୧୮ଅକ୍ଟୋବରରୁ ୨ନଭେମ୍ବର ୨୦୦୨ରେ ୧୫ଦିନ ପାଇଁ ରାଜ୍ୟପାଳ ଶାସନ ରାଜ୍ୟରେ ଲାଗୁ ହୋଇଥିଲା।
ପଞ୍ଚମ ଥର ୧୧ଜୁଲାଇ ୨୦୦୮ରେ ରାଜ୍ୟପାଳ ଶାସନ ଲାଗୁ ହେଲା। ଏହି ଶାସନ ୨୦୦୯ ପର୍ଯ୍ୟନ୍ତ ମୋଟ୍‍ ୧୭୮ଦିନ ଚାଲିଥିଲା।
୨୦୧୪ରେ ମଧ୍ୟ କୌଣସି ରାଜନୈତିକ ଦଳକୁ ବହୁମତ ନମିଳିବାରୁ ସିଏମ ଓମର ଅବଦୁଲ୍ଲା ଜାନୁଆରୀ ୨୦୧୫ରେ ସିଏମ ପଦରୁ ଇସ୍ତଫା ଦେଲେ। ୫୧ଦିନ ପାଇଁ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହେଲା। ପରେ ପିଡିପି ଓ ବିଜେପି ରାଜ୍ୟର ଶାସନ ଦାୟିତ୍ୱ ନେଇଥିଲେ।

Leave A Reply