ଜୀବନ ଜିନ୍ଦାବାଦ- ‘ବଞ୍ଚିଥିବା ଯାଏଁ ନିଜ ରୋଜଗାରରୁ ଖାଇବି,ଭିକ୍ଷାରୁ ନୁହେଁ’

ବଲାଙ୍ଗିର: କେଉଁ ନେତା କି ବଡ ବାବୁ ପାଇଁ ନୁହେଁ। ଜଣେ ସାଧାରଣ ମହିଳାଙ୍କ ପାଇଁ ଆମେ କହୁଛୁ ଜୀବନ ଜିନ୍ଦାବାଦ। ଆଉ ଆପଣ ବି ତାଙ୍କ କାହାଣୀ ଶୁଣିଲେ କହିବେ ଜିନ୍ଦାବାଦ…ଜିନ୍ଦାବାଦ।

ବଲାଙ୍ଗିର ଦୈନିକ ବଜାର। ସକାଳ ଭୋର ୪ଟାରୁ ବେପାର ଆରମ୍ଭ ହୁଏ,ରାତି ୧୧ଟା ଯାଏଁ ଚଳଚଞ୍ଚଳ ରହେ। ସହରର ଏହା ଏକ ଏଭଳି ସ୍ଥାନ ଯେଉଁଠି ଲୋକ ସଂଖ୍ୟା ପ୍ରାତତଃ ଲୋକଙ୍କ ପ୍ରବଳ ଭିଡ ସହ ଯାଆସ ଲାଗି ରହିଥାଏ। କିନ୍ତୁ ଏହାରି ଭିତରେ ଗତ କିଛି ମାସ ପୂର୍ବରୁ ଚିତ୍ରକାର ଳୀନା ମେହେର ତାଙ୍କ କାନଭାସରେ ଆଙ୍କିଥିଲେ ଜଣେ ବୃଦ୍ଧାଙ୍କ ଚିତ୍ର। ଯିଏ କିଛି ଶାଗ ସହ ପନିପରିବା ଧରି ରାସ୍ତାକଡରେ ବିକ୍ରି କରୁଥାନ୍ତି। ଏହାକୁ ନେଇ ସହରରେ ଚର୍ଚ୍ଚା ହେଲା। ଗୋଟେ ମୋବାଇଲ ସ୍କ୍ରିନରୁ ଆଉ ଏକ ମୋବାଇଲ ସ୍କ୍ରିନକୁ ଘୁରିବୁଲିଲା। ସାମାଜିକ ଗଣମାଧ୍ୟମରେ ବି ତାକୁ ନେଇ ପୋଷ୍ଟ ହେଲା। ଆହୁରି କେତେ କଣ ଚର୍ଚ୍ଚା ବି ହେଲା। ହାରି ଭିତରେ ଲୁଚିଯାଇଛି ତାଙ୍କ ଅନ୍ତର ଆତ୍ମାରେ ଥିବା ଦୁଃଖର କଥା। ହେଲେ ବୟସର ଅପରାହ୍ଣରେ ପହଞ୍ଚିଥିଲେ ହେଁ ନିଜ କାର୍ଯ୍ୟରୁ କେବେ ଥକି ପଡିନାହାଁନ୍ତି ଏହି ବୃଦ୍ଧା ଜଣକ।

ୱାର୍ଡ ନଂ ୧୪ ମାଲପଡାର ବାସିନ୍ଦା ବୃନ୍ଦାବତୀ ସାହୁ। ଦୀର୍ଘ ୨୦ ବର୍ଷ ହେଲା ସ୍ୱାମୀ ଆରପାରିରରେ। ଛୁଆ ପିଲା କହିଲେ ଘରେ ୩ ପୁଅ ଓ ୪ ଝିଅ। ମାଲପଡାରେ ଯେଉଁ ଘର ଥିଲା ତାହା ଏବେ ଜଣେ ଅଣ ଓଡିଆଙ୍କ କବଜା କରି ନେଇଯାଇଥିବା ଅଭିଯୋଗ କରନ୍ତି। ପ୍ରାୟ ୩ ହଜାର ବର୍ଗଫୁଟ ଜାଗା ଫୁଟ ପାଇଁ ନ୍ୟାୟ ଲଢେଇ ଜାରି ରଖିଛନ୍ତି। ଯାହା ଫଳରେ ଅସହାୟ ହୋଇ ଜୀବନ ଯାପନ କରୁଥିବା କୁହନ୍ତି ବୃନ୍ଦାବତୀ। ତାଙ୍କ ସ୍ୱାମୀ ଥିଲା ବେଳେ ଫଳମୂଳ ଦୋକାନଟିଏ କରିଥିଲେ। ଭଳରେ ଚଲୁଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ସବୁକିଛି ହାତରୁ ଚାଲିଗଲା। ଏବେ ଜୀବନଟା ଦୁର୍ବିସହ ହୋଇଯାଇଛି। କାହାକୁ କହିବେ ଦୁଃଖର କଥା। କିଏ ବା ଶୁଣିବ। କେବଳ ଧର୍ମର ନ୍ୟାୟ ଅପେକ୍ଷାରେ ବଞ୍ଚୁଛି ବୋଲି କୁହନ୍ତି ସେ। ହେଲେ ଜୀବନ ଯୁଦ୍ଧରେ ହାର ମାନିନାହାଁନ୍ତି। ଆଜି ବି ନିଜ ହାତରେ ରନ୍ଧାବଢା କରିବା ସହ ଦୈନିକ ବଜାରରେ ଥିବା ରାସ୍ତା ପାର୍ଶ୍ବର କୁଡିଆରେ ରହୁଛନ୍ତି। ଯେିଁଠି ପସରା ସେଇଠି ହିଁ ତାଙ୍କ ଘର ବୋଲି କୁହନ୍ତି। ମାସକୁ ଭତ୍ତା ଟିକକ ଓ ତୁନସାଗ ବିକ୍ରି କରି ସେଥିରୁ ଯାହା ଆୟ ହୁଏ ସେଥିରେ ଜୀବନ କଟେ। ସେ ଆହୁରି କୁହନ୍ତି ଯେ,ଯେତେବେଳେ ଯାହା ହେବା କଥା ହେବ। ଏଥିରେ ଦୁଃଖ କରିବାର ନାହିଁ। କିନ୍ତୁ ହାର ମାନିବା ଉଚିତ ନୁହେଁ। ଯାହା ହେଲେ ବି ଠିକ ରାସ୍ତାରେ ଯଦି ଅଛ ସଂଘର୍ଷ କରିବାକୁ ପଡିବ,ନହେଲେ ହାରିଯିବ। ଲୋକେ ତ ଯାହା ହେଲେ ବି କହିବେ କିନ୍ତୁ ତାକୁ କାନ ଦେଇ ଶୁଣିବାର ନାହିଁ। ନିଜେ ପାରୁଥିବା ପର୍ଯ୍ୟନ୍ତ ଏଭଳି ପରିଶ୍ରମ କରି ଖାଇବି,ଭିକ୍ଷା ବୃତ୍ତି କରି ନୁହେଁ ବୋଲି ଦୃଢତାର ସହ କୁହନ୍ତି ବୃନ୍ଦାବତୀ। ସରକାର ଗରିବ ଲୋକଙ୍କ ପାଇଁ ଏତେ ଯୋଜନା କରୁଛନ୍ତି ଅଥଚ ଆମ ପାଇଁ କାହିଁ ନୁହେଁ ବୋଲି ଅଭିଯୋଗ କରନ୍ତି। ଏବେ ତାଙ୍କ ପାଖରେ ଘର ନଥିବା ବେଳେ ସରକାର ଆବାସ ଯୋଜନାରେ ସାମିଲ କରି ତାଙ୍କୁ ଘରଟିଏ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଜଣେ ପୁଅ ତାଙ୍କ ସହ ରହୁଥିବା ବେଳେ ଅନ୍ୟମାନେ ସମସ୍ତେ ନିଜ ପରିବାର ସହ ରହୁଥିବା ଜଣାପଡିଛି।

Comments are closed.