ପୃଥିବୀର ଉଚ୍ଚତମ ଗାଁ କିବିରକୁ ବାଇକରେ ପହଞ୍ଚିଲେ ଅମିତ

0

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବେଲପାହାଡ଼ର ଅମିତ ମଲ୍ଲିକ ଏକ ନୂତନ କୀର୍ତ୍ତିର୍ ସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି। ପୃଥିବୀର ଅନ୍ୟତମ ବିପଦସଙ୍କୁଳ ରାସ୍ତାରେ ଅମିତ ତାଙ୍କର ଏକ ପୁରୁଣା ବାଇକରେ ପୃଥିବୀର ଉଚ୍ଚତମ ଗାଁ ହିମାଚଳ ପ୍ରଦେଶର କିବିର ଗ୍ରାମକୁ ଗୋଆରୁ ଦଶ ଦିନରେ ପହଞ୍ଚିଥିଲେ। କିିବିର ଗାଁକୁ ବର୍ଷରୁ ମାତ୍ର ୩ ମାସ ବରଫ କମିଲେ ଯାଇ ହୁଏ। ଏମିତିକି କେଉଁ କେଉଁ ବର୍ଷ ଏହି ରାସ୍ତା ଆଦୌ ଖୋଲେ ନାହିଁ। ଗ୍ରାମକୁ ଯିବାପାଇଁ ନିତିଦିନିଆ ରାସ୍ତାଟିଏ ମଧ୍ୟ ନାହିଁ। ଏହି ଗ୍ରାମକୁ ଯିବାକୁ ହେଲେ ସ୍ପିନି ନଦୀ କୂଳେ କୂଳେ ପଥର ଉପରେ ଯିବାକୁ ହୁଏ। ଏହି ରାସ୍ତାରେ ଯାତାୟାତ କରୁଥିବା ଅନେକ ଯାତ୍ରୀ ଦୁର୍ଘଟଣା ଶିକାର ହୁଅନ୍ତି। ତେବେ ଅମିତ ଏକ ପୁରୁଣା କାଳିଆ ବାଇକରେ ପୃଥିବୀର ଉଚ୍ଚତମ ଗ୍ରାମକୁ ବାଇକରେ ଯାଇ ସେଠି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇ ପୁଣି ଓଡ଼ିଶାକୁ ଫେରି ଆସିଛନ୍ତି।
ଅମିତ ମଲ୍ଲିକ ଗତ ପ୍ରାୟ ୧୪ ବର୍ଷ ହେବ ଇଣ୍ଡିଆନ ନେଭିରେ ଗୋଆରେ ଅବସ୍ଥାପିତ ରହିଛନ୍ତି। କିନ୍ତୁ ବାଇକ ରାଇଡ଼ିଂ ଅମିତର ସବୁଠାରୁ ବଡ଼ ନିଶା। ନେଭିରୁ ଛୁଟି ମିଳିବା ମାତ୍ରେ ଘରକୁ ନ ଆସି ବାଇକରେ ନୂତନ ସ୍ଥାନକୁ ଯିବା ହେଉଛି ତାଙ୍କର ଅଭ୍ୟାସ। ଗତ ୧୬ ତାରିଖରେ ଅମିତ ଏକ ପୁରୁଣା ୧୯୯୪ ମସିହା ମଡେଲ୍‍ ୟମାହା ଆରଏକ୍ସ ୧୦୦ (୨ଷ୍ଟ୍ରୋକ ଇଂଜିନ) ବାଇକ ଧରି ବାହାରିଥିଲେ। ଅମିତ ବାଇକରେ ଗୋଆରୁ ଲଖନୋ, ଗାଜିଆବାଦ, ସୋଲାନ, ନରକଣ୍ଡା, କଲପା ରାସ୍ତାରେ ହିମାଚଳ ପ୍ରଦେଶର କାଜାର ଲାଗଁଜା, ହିକ୍କିମମ, କୋମିକ ଓ କିବିର ଠାରେ ପହଞ୍ଚିଥିଲେ। ଗୋଆରୁ ଅମିତକୁ କିବିର ପହଞ୍ଚିବା ପାଇଁ ୧୦ ଦିନ ସମୟ ଲାଗିଥିଲା। ବାଇକରେ ସେ ଦୈନିକ ୪୦୦ କିଲୋମୋଟର ବାଇକରେ ଯାତ୍ରା କରୁଥିଲେ। ହିମାଚଳ ପ୍ରଦେଶରେ ଥିବା ପୃଥିବୀର ଉଚ୍ଚତମ ଗ୍ରାମ କିବିର ଯାହାକି ସମୁଦ୍ରପତ୍ତନଠାରୁ ୪୫୮୭ ମିଟର ରହିଛି। ଏହି ଗ୍ରାମର ଲୋକ ସଂଖ୍ୟା ୧୧୪ ଜଣ ଏଠି ପୃଥିବୀର ଉଚ୍ଚତମ ପେଟ୍ରେଲ ପମ୍ପ, ପୋଷ୍ଟ ଅଫିସ ରହିଛି। ପୃଥିବୀର ଅନ୍ୟତମ ବିପଦସଙ୍କୁଳ ରାସ୍ତାରେ ପୁରୁଣା ବାଇକରେ ପୃଥିବୀର ଉଚ୍ଚତମ ଗ୍ରାମକୁ ଯିବାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

Leave A Reply