ପିସି ମାଗିଲେ ଜେଇ – ନିନ୍ଦା କଲେ ବ୍ଲକ ଅଧ୍ୟକ୍ଷ

ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ ଘୁମେର ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏକ କମ୍ୟୁନିଟି ସେଣ୍ଟରର ପିସିକୁ ନେଇ ଠିକାଦାର ଏବଂ ଜେଇଙ୍କ ମଧ୍ୟରେ ହେଉଥିବା ଯୁକ୍ତିତର୍କ ଘଟଣା ସୋସିଆଲ ମିଡିଆରେ ପ୍ରସାରିତ ହେବା ସହ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଶନିବାର ଅପରାହ୍ଣ ସାଢେ ୪ ଘଣ୍ଟା ସମୟରେ ନିଜ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହାକୁ ଦୃଢ ନିନ୍ଦା କରିଛନ୍ତି ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ। ଜଣେ ସରକାରୀ କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ବସି ସିଗାରେଟ ଟାଣୁଥିବା ସହ ୧୫ ପ୍ରତିଶତ ପିସି ଦାବୀ କରିବା ନିଶ୍ଚିତ ଭାବରେ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

ତେବେ ସୋସିଆଲ ମିଡିଆରୁ ଘଟଣା ସଂପର୍କରେ ଜାଣିବା ପରେ ବିଡିଓ ଏବଂ ସହକାରୀ ଯନ୍ତ୍ରୀଙ୍କ ସହ ଶ୍ରୀ ନାଏକ ଆଲୋଚନା କରିବା ସହ ଏ ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିବା ସେ ପ୍ରକାଶ କରିଛନ୍ତି। ବ୍ଲକ ଅଧ୍ୟକ୍ଷ ଭାବରେ ଏହା ତାଙ୍କର ଦ୍ୱିତୀୟ ପାଳି ହୋଇଥିବା ବେଳେ ଦୀର୍ଘ ୭ ବର୍ଷ ମଧ୍ୟରେ ପଞ୍ଚାୟତ ସମିତି ମଧ୍ୟରେ ପିସି କାରବାର ହୋଇନଥିବା ସେ ଦୃଢତାର ସହ କହିଛନ୍ତି।

Comments are closed.