ମୁମ୍ବଇ ହୋଟେଲରେ ଅସନ୍ତୁଷ୍ଟ ବିଧାୟକଙ୍କୁ ଭେଟିଲେ ଜେଡିଏସ ନେତା

ମୁମ୍ବଇ: କର୍ଣ୍ଣାଟକର ମେଣ୍ଟ ସରକାରକୁ ଅଡୁଆରେ ପକାଇବା ଲାଗି ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସର ଅସନ୍ତୁଷ୍ଟ ବିଧାୟକମାନେ ମୁମ୍ବଇର ଏକ ବିଳାସପୂର୍ଣ୍ଣ ହୋଟେଲରେ ମଉଜ କରୁଛନ୍ତି। ସେମାନଙ୍କୁ ମନାଇବା ଲାଗି କଂଗ୍ରେସ ଏବଂ ଜେଡିଏସର ବରିଷ୍ଠ ନେତାମାନେ ଅନେକ ଥର ଉଦ୍ୟମ କରି ବିଫଳ ହୋଇଛନ୍ତି। ପୁଲିସ ବି ସେମାନଙ୍କୁ ହୋଟେଲ ଭିତରକୁ ଛାଡ଼ି ନ ଥିଲା। କିନ୍ତୁ ଗୁରୁବାର ଜେଡିଏସର ରାଜ୍ୟ ଯୁବ ଉପସଭାପତି ସୟଦ ଶାହିଦ ହୋଟେଲରେ ପଶି ଅସନ୍ତୁଷ୍ଟ ବିଧାୟକଙ୍କୁ ଭେଟିବାରେ ସଫଳ ହୋଇଛନ୍ତି। ସେ ବିଧାୟକମାନଙ୍କ ସହିତ ଆଲୋଚନା ଜାରି ରଖିଥିବା ଜେଡିଏସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଗୋଟିଏ ପଟେ ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ମେଣ୍ଟ ସରକାରର ଭାଗ୍ୟ ନିର୍ଣ୍ଣୟ ଚାଲିଥିବାବେଳେ ଏପଟେ ଜେଡିଏସ ନେତା ଅସନ୍ତୁଷ୍ଟ ବିଧାୟକଙ୍କୁ ଭେଟି ମନାଇବାରେ ସଫଳ ହେଉଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପଟେ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକ ରାମଲିଙ୍ଗା ରେଡ୍ଡୀ ଗତ ବୁଧବାର ତାଙ୍କ ଇସ୍ତଫାପତ୍ର ପ୍ରତ୍ୟାହାର କରିନେବେ ବୋଲି ଘୋଷଣା କରିବା ପରେ ମେଣ୍ଟ ସରକରାକୁ କିଛିଟା ଆଶ୍ଵସ୍ତ ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମେଣ୍ଟ ସରକାର ନିକଟରେ ଆସ୍ଥା ଭୋଟର ପ୍ରମାଣ ଦେବା ଲାଗି ଆବଶ୍ୟକ ସଂଖ୍ୟା ନ ଥିବାରୁ କଂଗ୍ରେସ ଏବଂ ଜେଡିଏସ ଅକଳରେ ପଡ଼ିଛନ୍ତି।

Comments are closed.