ଜେସିବି ସୁପରଭାଇଜରଙ୍କୁ ‘ସମାଜ’ର ପୁରସ୍କାର

0

କଟକ : ତୁଳସୀପୁରସ୍ଥିତ ପୁଲିସ୍‌ ବେତାର ବିଭାଗ ମୁଖ୍ୟାଳୟ ନିକଟରେ ଥିବା ପମ୍ପିଂ ଷ୍ଟେସନର ଚ୍ୟାମ୍ବର ସଫା କରୁଥିବାବେଳେ ପାଇପ୍‌ ଭିତରେ ଫସିଯାଇଥିବା ଠିକା ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲିଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ପ୍ରୋକଲିନ୍‌ (ଜେସିବି)ସୁପରଭାଇଜରଙ୍କୁ ‘ସମାଜ’ ତରଫରୁ ପୁରସ୍କୃତ କରାଯାଇଛି। ରବିବାର ପୂର୍ବାହ୍ଣରେ କଟକ ‘ସମାଜ’ କାର୍ଯ୍ୟାଳୟ, ଗୋପବନ୍ଧୁ ଭବନଠାରେ ସୁପରଭାଇଜର ଅରୁଣ କୁମାର ପାଠକଙ୍କୁ ସମାଜ ପରିଚାଳନା ମଣ୍ଡଳୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ ପୁରସ୍କୃତ କରିଛନ୍ତି। ଶ୍ରୀ ଯାଦବ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରି ୧୦,୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରିଥିଲେ। ଶ୍ରୀ ଯାଦବଙ୍କଠାରୁ ସୁପରଭାଇଜର ଶ୍ରୀ ପାଠକ ଓ ତାତିଆ କନଷ୍ଟ୍ରକସନର ଶ୍ରମିକ ଠିକାଦାର ଏହି ପୁରସ୍କାର ରାଶି ଗ୍ରହଣ କରିଥିଲେ ।

ତାତିଆ କନଷ୍ଟ୍ରକସନ କାର୍ଯ୍ୟରେ ନିୟୋଜିତ ଏହି ପ୍ରୋକଲିନ ମେସିନ ପ୍ରାଣକୃଷ୍ଣଙ୍କ ଉଦ୍ଧାର ସମୟରେ ଘଟଣାସ୍ଥଳଠାରୁ ମାତ୍ର ଅଳ୍ପ କିଛି ଦୂରରେ ଚାଲିଥିବା ଅନ୍ୟ ଏକ କାର୍ଯ୍ୟରେ ନିୟୋଜିତ ଥିଲା । ତେବେ ପ୍ରାଣକୃଷ୍ଣ ପାଇପ୍‌ ଭିତରେ ଫସିଯାଇଥିବା ଓ ତାଙ୍କୁ ଉଦ୍ଧାର ପାଇଁ ଏହି ମେସିନ ସହାୟତାର ଆବଶ୍ୟକ ଥିବାରୁ ଶ୍ରୀ ଯାଦବ ପ୍ରୋକଲିନ ମେସିନ ସୁପରଭାଇଜରଙ୍କୁ ସେଦିନ ଉଦ୍ଧାର କାର୍ଯ୍ୟ ପାଇଁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ପ୍ରୋକଲିନ ମେସିନ ନିୟୋଜିତ ଥିବା କାର୍ଯ୍ୟ ଛାଡି ତୁରନ୍ତ ପ୍ରାଣକୃଷ୍ଣଙ୍କ ଉଦ୍ଧାର କାର୍ଯ୍ୟରେ ଆସି ଲାଗିଥିଲା ।

ଜିଲା ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମ ସେବାଦଳ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ୭ ଘଣ୍ଟା ପରେ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ପ୍ରାଣକୃଷ୍ଣଙ୍କୁ କଟକ ବଡଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡିଛି। ପ୍ରାଣକୃଷ୍ଣଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ‘ସମାଜ’ ନେଇଥିବା ପଦକ୍ଷେପକୁ ତାତିଆ କନଷ୍ଟ୍ରକସନର ଜେନେରାଲ ମ୍ୟାନେଜର ବି.ପି. ସିଂ ମଧ୍ୟ ପ୍ରଶଂସା କରିଛନ୍ତି।

Leave A Reply