ଜୟାପ୍ରଦାଙ୍କ କଡ଼ା ପ୍ରତିକ୍ରିୟା; କହିଲେ ଆଜମ ଖାନ କ’ଣ ନିଜ ଘରର ମହିଳାଙ୍କୁ ଏଭଳି କୁହନ୍ତି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଜୟାପ୍ରଦା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଅଶ୍ଳୀଳ ମନ୍ତବ୍ୟ ଉପରେ ସୋମବାର କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜୟାପ୍ରଦା ଆଜମ ଖାନଙ୍କୁ ପ୍ରଶ୍ନ କରି କହିଛନ୍ତି, ତାଙ୍କ ଘରେ କ’ଣ ମା’ଭଉଣୀ ଏବଂ ସ୍ତ୍ରୀ ନାହାନ୍ତି ? ସେ କ’ଣ ନିଜ ଘରର ମହିଳମାନଙ୍କୁ ଏଭଳି କହିପାରିବେ ?  ଆଜମ ଖାନ ତାଙ୍କ ପ୍ରତି ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି ତାହାକୁ ସେ ପାଟିରେ ଧରିବାକୁ ଚାହୁଁନାହାନ୍ତି କି କେବେ ଧରିପାରିବେ ନାହିଁ ବୋଲି ଜୟାପ୍ରଦା କହିଛନ୍ତି।

ଜୟାପ୍ରଦା ଆହୁରି କହିଛନ୍ତି, ଆଜମ ଖାନ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହାକୁ ରାମପୁର ବାସିନ୍ଦା କେବେ କ୍ଷମା ଦେବେନାହିଁ। ତାଙ୍କର ଏଭଳି ଟିପ୍ପଣୀ ପ୍ରତି ସେ ଆଦୌ ଭୟଭୀତ ନୁହନ୍ତି। ସେ ରାମପୁର ଛାଡ଼ି ଯିବେ ନାହିଁ। ଜୟାପ୍ରଦା ଚ୍ୟାଲେଞ୍ଜ ଦେଇ କହିଛନ୍ତି, ମୁଁ ଆଜମ ଖାନଙ୍କୁ ହରାଇକି ରହିବି ଏବଂ ସେବେ କହିବି ଜୟାପ୍ରଦା କିଏ।

ସୂଚନାଯୋଗ୍ୟ, ଆଜମ ଖାନ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଅବସରରେ ଜୟାପ୍ରଦାଙ୍କୁ ଇଙ୍ଗିତ କରି ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଇଛି।

Comments are closed.