ସିଟି ହସ୍ପିଟାଲରେ ଖୋଲିବ ଜରା ୱାର୍ଡ

0

କଟକସିଟି: ବୃଦ୍ଧ/ବୃଦ୍ଧା ରୋଗୀଙ୍କ ପାଇଁ ସିଟି ହସ୍ପିଟାଲରେ ଖୁବଶୀଘ୍ର ଜରା ୱାର୍ଡ ବା ଜେରିଆଟିକ ୱାର୍ଡ ଖୋଲିବାକୁ ଯାଉଛି। ଏଥିପାଇଁ ବ୍ୟୟ ଅଟକଳ ସରିଲାଣି। ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡିଛି। ଏହାଦ୍ୱାରା ଏଠାକୁ ଆସୁଥିବା ବୃଦ୍ଧ/ବୃଦ୍ଧା ରୋଗୀମାନେ ଗୋଟିଏ ସ୍ଥାନରେ ସୁବିଧାରେ ଚିକିତ୍ସିତ ହୋଇ ପାରିବେ।
୧୩୦ ଶଯ୍ୟା ବିଶିଷ୍ଟ ସିଟି ହସ୍ପିଟାଲରେ ପୂର୍ବରୁ ଭେଷଜ, ଶଲ୍ୟ, ଚକ୍ଷୁ, ଝାଡାବାନ୍ତି, ସ୍ତ୍ରୀ ଓ ପ୍ରସୂତି, ଶିଶୁ ବିଭାଗ ରହିଛି। ଏବେ ନୂତନ ଭାବେ ଜେରିଆଟିକ୍‍ ୱାର୍ଡ ଖୋଲିବା ପାଇଁ ହସ୍ପିଟାଲ ପକ୍ଷରୁ ଯୋଜନା କରାଯାଇଛି। ବହୁ ପୂର୍ବରୁ ଏହି ଯୋଜନା କରାଯାଇଥିଲେ ମଧ୍ୟ ଏହାର କାର୍ୟ୍ୟକାରୀ କରାଯାଇନଥିଲା। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ୱାର୍ଡ ଖୋଲିବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ୩୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଭେଷଜ ବିଭାଗ ପାର୍ଶ୍ବରେ ଏହି ବିଭାଗ ଖୋଲିବ। ଏହି ବିଭାଗରେ ପ୍ରଥମ ପର୍ୟ୍ୟାୟରେ ୧୦ଶଯ୍ୟା ବିଶିଷ୍ଟ ୱାର୍ଡ ନିର୍ମାଣ ହେବ। ବୃଦ୍ଧ/ବୃଦ୍ଧା ରୋଗୀଙ୍କ ସୁବିଧା ତଥା ହୁଇଲଚେୟାର ଯିବା ଆସିବା ପାଇଁ ଽାମ୍ପର ବ୍ୟବସ୍ଥା କରାଯିବ। ଏହାସହ ଅନ୍ୟାନ୍ୟ ସୁବିଧାସୁଯୋଗ ଏଠାରେ ରୋଗୀଙ୍କ ପାଇଁ ରଖାଯିବ। ଏହି ୱାର୍ଡଟି ଭେଷଜ, ଶଲ୍ୟ, ଅର୍ଥୋପେଡିକ୍‍ ବିଭାଗର ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ।
ଏହି ୱାର୍ଡ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‍ଏଚଏମ୍‍) ବହନ କରିବ। ଏହି ୱାର୍ଡ ପ୍ରତିଷ୍ଠା ହେଲେ ବୃଦ୍ଧ/ବୃଦ୍ଧା ରୋଗୀମାନେ ବାର୍ଦ୍ଧ୍ୟକ୍ୟଜନିତ ରୋଗ ପାଇଁ ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ଆଉ ଯିବାକୁ ପଡିବ ନାହିଁ। ଖୁବଶୀଘ୍ର ଏହି ୱାର୍ଡର ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ ବୋଲି ହସ୍ପିଟାଲ ଅଧୀକ୍ଷକ ଡ ତପନ କୁମାର ମିତ୍ର କହିଛନ୍ତି।

Leave A Reply