ସମ୍ବଲପୁରରେ ଜଣ୍ଡିସ ସ୍ଥିତି ଗମ୍ଭୀର ; ଲୋକଙ୍କୁ ଦାୟୀ କଲା ଜନସ୍ବାସ୍ଥ୍ୟ ବିଭାଗ

ସମ୍ବଲପୁର : ସମ୍ବଲପୁରରେ ଜଣ୍ଡିସ ପୁଣି ଥରେ ତାର କାୟା ବିସ୍ତାର କରି ଚାଲିଛି। ଗତ ମାସରେ ସମ୍ବଲପୁର ମହାନଗର ଅର୍ନ୍ତଗତ ବୁର୍ଲା ଠାରେ ଜଣ୍ଡିସ ରୋଗୀ ଚିହ୍ନଟ ହେବା ପରଠାରୁ ବିଷ୍ଣୁ ମନ୍ଦିର ପଡା, ଅଟାଚକି ପଡା, ୱାନ ଆର କଲୋନୀ ଆଦି ଅଞ୍ଚଳରେ ଜଳ ଯୋଗାଣ ପାଇପ ଗୁଡିକ ବିଚ୍ଛିନ୍ନ କରାଯାଇ ଜଣ୍ଡିସକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ଲାଗିଛି। ତେବେ ସମ୍ବଲପୁର ସହରାଞ୍ଚଳରେ ଜଣ୍ଡିସ ତାର କାୟା ବିସ୍ତାର କରିବା ଆରମ୍ଭ ସାରିଥିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଜଣ୍ଡିସ ରୋଗୀ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟରେ ଡକାଯାଇଥିବା ପ୍ରେସ ମିଟରେ ସମ୍ବଲପୁର ମହାନଗର ନିଗମ କମିଶନର ତ୍ରିଲୋଚନ ମାଝୀ ଅଧ୍ୟକ୍ଷତା କରିଥିଲେ। ମହାନଗର ନିଗମ ପକ୍ଷରୁ ଜଣ୍ଡିସ ଚିହ୍ନଟ ହେବା ପରେ ବୁର୍ଲାରେ ଦହିବରା, ଆଳୁଦମ, ଗୁପଚୁପ ଆଦି ପାନୀୟଯୁକ୍ତ ଖାଦ୍ୟ ଗୁଡିକୁ ଗତ ମାର୍ଚ୍ଚ ୩୧ ତାରିଖରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହା ସହିତ ଜଣ୍ଡିସ ବ୍ୟାପିଥିବାର ଅଞ୍ଚଳ ଗୁଡିକର ନାଳନର୍ଦ୍ଦମା ଗୁଡିକ ସଫା କରାଯାଇଥିବା ବେଳେ ମହାନଗର ନିଗମ ପକ୍ଷରୁ କ୍ରମାଗତ ଭାବରେ ଚଢ଼ଉ କରାଯାଇ ୯୯ଟି ଦୋକାନରୁ ୪୩ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। ସେଥି ମଧ୍ୟରୁ ୧୨ଟି ଖାଦ୍ୟ ନମୁନା ପଜିଟିଭ ବାହାରିଥିବା ବେଳେ ୧୮୫ କି.ଗ୍ରା. ଖାଦ୍ୟ ଏ ପର୍ଯ୍ୟନ୍ତ  ନଷ୍ଟ କରାଯାଇଛି ବୋଲି ମହାନଗର ନିଗମ କମିଶନର ତ୍ରିଲୋଚନ ମାଝୀ କହିଛନ୍ତି।

ଜଣ୍ଡିସର ସ୍ଥିତି ସର୍ମ୍ପକରେ ସୁଚନା ଦେଇ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ଜନସ୍ୱାସ୍ଥ୍ୟ) ଡା. ପଞ୍ଚାନନ ନାୟକ କହିଥିଲେ ଯେ, ସୋମବାର ପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁଯାୟୀ ଗତ ମାର୍ଚ୍ଚ ୨୫ ତାରିଖରୁ ଏ ପର୍ଯ୍ୟନ୍ତ ୪୧ ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି। ୪୧ ଜଣ ରୋଗୀ ମାନଙ୍କ ମଧ୍ୟରୁ ୩୩ ଜଣଙ୍କର ଦେହ ଭଲ ହୋଇଥିବା ବେଳେ ୯ ଜଣଙ୍କର ଚିକିତ୍ସା ଓ ଔଷଧ ପ୍ରଶାସନ ପକ୍ଷରୁ ମାଗଣାରେ କରାଯାଉଛି। ଏହା ସହିତ ଜଣ୍ଡିସ ବ୍ୟାପି ଥିବାର ଅଞ୍ଚଳ ଗୁଡିକରୁ କ୍ରମାଗତ ଭାବରେ ପାଣିର ନମୁନା ସଂଗ୍ରହ କରାଯାଇ ଲାବରେ ଟେଷ୍ଟ କରାଯାଉଛି। ଏହା ସହିତ ସେହି ଅଞ୍ଚଳରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ କ୍ରମାଗତ ଭାବରେ ଘରକୁ ଘର ଯାଇ ଜଣ୍ଡିସ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସହିତ ୧୨ ହଜାରରୁ ଉର୍ଦ୍ଧ ଲିଫଲେଟ ବଣ୍ଟନ କରିସାରିଛନ୍ତି। ଏହା ସହିତ ଯଦି କାହାର ଜଣ୍ଡିସ ଲକ୍ଷ୍ୟଣ ରହୁଛି, ତାକୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି।

ସେହିଭଳି ଜଣ୍ଡିସ ସର୍ମ୍ପକରେ ଜନସ୍ୱାସ୍ଥ୍ୟ ବିଭାଗର ସୁପରିନଟେଣ୍ଡିଙ୍ଗ ଇଞ୍ଜିନିୟର ମନୋରଞ୍ଜନ ନନ୍ଦ କହିଛନ୍ତି ଯେ, ବିଭାଗ ପକ୍ଷରୁ ୨୦୧୪ ପରଠାରୁ ରାଜ୍ୟ ସରକାର ଙ୍କ ଅନୁଦାନ ଓ ଅମୃତ ଯୋଜନା ଅନୁଯାୟୀ ସମୁଦାୟ ୨୭୨ କୋଟି ଟଙ୍କାର ବଜେଟ ବରାଦ କରାଯାଇ କାର୍ଯ୍ୟ କରାଯାଇ ବହୁ ସ୍ଥାନରେ ଭୂତଳ ପାଣି ପାଇପ ଗୁଡିକୁ ବଦଳାଯାଇଛି। ଏହା ସହିତ ବାଲିବନ୍ଧା ସ୍ଥିତ ଇନଟେକ ୱେଲକୁ ବନ୍ଦ କରି ଦିଆଯାଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ଅଣାଯାଇ ଯୋଗାଇ ଦିଆଯାଉଛି। ସମସ୍ତେ ମିଳି ମିଶି କାର୍ଯ୍ୟ କଲେ ଏହି ରୋଗକୁ ମୁକାବିଲା କରି ହେବ ବୋଲି ସୁପରିନଟେଣ୍ଡିଙ୍ଗ ଇଞ୍ଜିନିୟର କହିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପ୍ରେସ ମିଟକୁ ଜିଲା ସୁଚନା ସର୍ମ୍ପକ ଅଧିକାରୀ ଦିଲ୍ଲୀପ ସାମନ୍ତରାୟ ପରିଚାଳନା କରିଥିବା ବେଳେ ମହାନଗର ନିଗମ, ସ୍ୱାସ୍ଥ୍ୟ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

 

Comments are closed.