ଜାମ୍ମୁ-କାଶ୍ମୀରରେ ଖୁବ୍‌ଶୀଘ୍ର ନିର୍ବାଚନ

ଉପରାଜ୍ୟପାଳଙ୍କ ପାଇଁ ଦୁଇ ପରାମର୍ଶଦାତା ନିଯୁକ୍ତ

ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ବିଧାନସଭା ପାଇଁ ଖୁବଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବା ନେଇ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି। ଗୁରୁବାର ଜାମ୍ମୁର ତଲୱାରରେ ପୁଲିସର ପରେଡ ଉତ୍ସବରେ​‌ ଯୋଗଦେଇ ମୁର୍ମୁ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଲୋକସଭା ନିର୍ବାଚନ ପରି ବିଧାନସଭା ନିର୍ବାଚନରେ ମଧ୍ୟ ବହୁ ସଂଖ୍ୟାରେ ଭୋଟର ଭାଗ ନେବେ। ଅକ୍ଟୋବର ୩୧ରେ ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ ପରେ ମୁର୍ମୁ ପ୍ରଥମ କରି ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ଜାମ୍ମୁ-କାଶ୍ମୀରର ବିଭାଜନ ପୂର୍ବକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖରେ ବିଭକ୍ତ କରାଯାଇଛି। ଜାମ୍ମୁ-କାଶ୍ମୀରରେ ବିଧାନସଭା ରହିବାର ବ୍ୟବସ୍ଥା କରାଯାଇଥିବାବେଳେ ଲଦାଖରେ ବିଧାନସଭା ନାହିଁ।
ଅନ୍ୟପଟେ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିବା ଲାଗି ଦୁଇଜଣ ପରାମର୍ଶଦାତା ନିଯୁକ୍ତ କରାଯାଇଛି। ଏହି ଦୁଇ ପରାମର୍ଶଦାତା ହେଲେ ଅବସରପ୍ରାପ୍ତ ଆଇପିଏସ୍ ଫାରୁକ ଖାଁ ଓ ଅବସରପ୍ରାପ୍ତ ଆଇଏଏସ୍‌ କେକେ ଶର୍ମା। ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦେଶନାମା ଅନୁଯାୟୀ ଖାଁ ଓ ଶର୍ମା କାର୍ଯ୍ୟରେ ଯୋଗଦେବା ଦିନଠାରୁ ନିଯୁକ୍ତି ଅବଧି କାର୍ଯ୍ୟକାରୀ ହେବ। ଏହି ଦୁଇ ଅଧିକାରୀ ପୂର୍ବରୁ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପାଇଁ ମଧ୍ୟ ପରାମର୍ଶଦାତା ନିଯୁକ୍ତ ହୋଇଥିଲେ। ଖାଁ ଜାମ୍ମୁ-କାଶ୍ମୀରର ସବ୍‌ ଇନ୍ସପେକ୍ଟର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଓ ଇନ୍ସପେକ୍ଟର ଜେନେରାଲ ଭାବେ କ୍ୟାରିୟର ଶେଷ କରିଥିଲେ। ୧୯୯୦ ଦଶକରେ କାଶ୍ମୀରରେ ଆତଙ୍କବାଦୀଙ୍କୁ ଦମନ କରିବାରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ବିଶ୍ବାସଭାଜନ ହୋଇପାରିଛନ୍ତି। ଲାକ୍ଷାଦ୍ବୀପର ପ୍ରଶାସନିକ ଅଧିକାରୀ ଭାବେ ମଧ୍ୟ ସେ ନିଯୁକ୍ତି ପାଇଥିଲେ। ସେହିପରି ଶର୍ମା ହେଉଛନ୍ତି ଏଜିଏମ୍‌ୟୁଟି କ୍ୟାଡରର ୧୯୮୩ ବ୍ୟାଚ ଆଇଏଏସ୍ ଅଫିସର। ତାଙ୍କ ଘର କଠୁଆ ଜିଲା ବିଲ୍ଲାୱର। ନିଜ କ୍ୟାରିୟର ଭିତରେ ଶର୍ମା ଦିଲ୍ଲୀ ଓ ଗୋଆର ମୁଖ୍ୟ ଶାସନ ସଚିବ ଏବଂ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଥିଲେ। ଚଣ୍ଡିଗଡ ପ୍ରଶାସନ ପାଇଁ ମଧ୍ୟ ଶର୍ମା ପରାମର୍ଶଦାତା ନିଯୁକ୍ତ ହୋଇଥିଲେ।

Comments are closed.