କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ – ‘ତିନି ଜଣଙ୍କ ଅଟକ ଯୋଗୁଁ ଯଦି କାଶ୍ମୀର ଶାନ୍ତ ରହୁଛି; ତେବେ ଏହା ଭଲ’

ଜାମ୍ମୁ : ଜାମ୍ମୁ-କାଶ୍ମୀରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖିବା ଦ୍ବାରା ଯଦି କାଶ୍ମୀର ଉପତ୍ୟକା ଶାନ୍ତ ରହୁଛି, ତେବେ ସେମାନକୁ ଅଟକ ରଖାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଶୁକ୍ରବାର ସିଂହ ଜାମ୍ମୁ-କାଶ୍ମୀରର ସ୍ଥିତି ବାବଦରେ ଅଧିକାରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି। ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ଭଳି ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଏପରି କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏମାନଙ୍କ ଅଟକ ଦ୍ବାରା ଯଦି ପରିବେଶ ଶାନ୍ତ ରହୁଛି; ତେବେ ଏହା ଭଲ ଓ ସେମାନଙ୍କୁ ଅଟକ ରହିବାକୁ ଦିଆଯାଉ। ଅଧିକାରୀମାନେ କହିଥିଲେ ପ୍ରମୁଖ ରାଜନେତାଙ୍କୁ ଗୃହବନ୍ଦୀ ରଖାଯିବାରୁ କାଶ୍ମୀରରେ ହିଂସାକୁ ନିୟନ୍ତ୍ରଣ କରାଯାଇପାରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରର ବିକାଶ ଓ ସୁଶାସନ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। କାଶ୍ମୀରରେ ଶାସନର ସଂଜ୍ଞା ପରିବର୍ତ୍ତନ କରିବାକୁ ହେବ ଯଦ୍ଦ୍ବାରା ସୁଶାସନ ଓ ବିକାଶ ଲୋକଙ୍କ ପାଖରେ ପହଞ୍ଚିପାରିବ। କାଶ୍ମୀରରେ ଏପରି ଏକ ବର୍ଗର ଲୋକ ଅଛନ୍ତି ଯେଉଁମାନେ ଜାଣନ୍ତି ନାହିଁ ଯେ ସେମାନେ କେଉଁଥିରୁ ବଞ୍ଚିତ ହେଉଛନ୍ତି। ସେମାନେ ସରକାରଙ୍କ ଯୋଜନା ବିଷୟରେ ଅଜ୍ଞ। ଏହି ବଞ୍ଚିତ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସିଂହ କହିଛନ୍ତି। ଜାମ୍ମୁ-କାଶ୍ମୀରରେ ଆୟୋଜିତ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀକୁ ସମ୍ବୋଧନ କରିବା ଅବସର​‌େ​‌ର ମନ୍ତ୍ରୀ ସିଂହ ଏହା କହିଛନ୍ତି। ସମ୍ମିଳନୀରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଉପସ୍ଥିତ ରହିଥିଲେ। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିପିଆରପିଜି) ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଜାତୀୟ ଓ ରାଜ୍ୟସ୍ତରୀୟ ସଂଗଠନକୁ ଗୋଟିଏ ଆଧାରରେ ପରିଚାଳନା କରିବାକୁ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ ରଖାଯାଇଥିବାବେଳେ ଫାରୁକ ଅବଦୁଲ୍ଲାଙ୍କୁ ସାଧାରଣ ସୁରକ୍ଷା ଆଇନ ଅଧୀନରେ ଅଟକ ରଖାଯାଇଛି। ଅନ୍ୟପଯେ ମେହବୁବା ମୁଫତିଙ୍କୁ ଶୁକ୍ରବାର ଶ୍ରୀନଗରସ୍ଥିତ ଏକ ସରକାରୀ ବାସଭବନକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ତାଙ୍କୁ ଜାବେରୱାନ ରେଞ୍ଜ ଅନ୍ତର୍ଗତ ଏକ ପର୍ଯ୍ୟଟନ ଆବାସରେ ରଖଯାଇଥିଲା। ଉକ୍ତ ସ୍ଥାନରେ ପ୍ରବଳ ଶୀତ ପଡୁଥିବା ବେଳେ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ସେଠାରେ ରହିବା ସମ୍ଭବ ହୋଉ ନ ଥିବା ଅଭିଯୋଗ ହେବା ପରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସରକାରୀ ଅଧିକାରୀମାନେ ଶୁକ୍ରବାର ପୂର୍ବାହ୍ଣରେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ କେତେକ ସରକାରୀ କାଗଜପତ୍ର କାର୍ଯ୍ୟ ବାକି ଥିବାରୁ ସ୍ଥାନାନ୍ତର କାମ ସନ୍ଧ୍ୟାକୁ ଘୁଞ୍ଚିଥିଲା।

Comments are closed.