ଜାମ୍ମୁ କାଶ୍ମୀରରେ ସରକାର ଗଠନ ପାଇଁ କ’ଣ ଅଛି ବିକଳ୍ପ, ଜାଣନ୍ତୁ ସବୁ ସମୀକରଣ

0

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପିଡିପି-ବିଜେପି ମେଣ୍ଟ ସରକାର ଭାଙ୍ଗିଯାଇଛି। ବିଜେପି ସରକାରରୁ ସମର୍ଥନ ଫେରାଇନେବା ପତ୍ର ଜାମ୍ମୁ କାଶ୍ମୀର ରାଜ୍ୟପାଳଙ୍କୁ ପ୍ରଦାନ କରିଛି। ଫଳରେ ମୁଖ୍ୟମନ୍ତ୍ରୀ ପଦରୁ ମେହବୁବା ମୁଫତି ଇସ୍ତଫା ଦେଇଛନ୍ତି। ପିଡିପି ପକ୍ଷରୁ ଦଳୀୟ ନେତା ଓ ବିଧାୟକଙ୍କ ଏକ ଜରୁରୀ ବୈଠକ ଡକାଯାଇଛି। ବିଜେପି ଦଳୀୟ ମହାସଚିବ ରାମମାଧବ ସୂଚନା ଦେଇଛନ୍ତି ଯେ ଜାମ୍ମୁ କାଶ୍ମୀରରେ ବର୍ତ୍ତମାନର ପରିସ୍ଥିତିକୁ ନେଇ ଦଳରେ ଆଲୋଚନା ହୋଇଥିଲା। ଏହାପରେ ସରକାରରୁ ଓହରିଯିବା ପାଇଁ ଦଳ ନିଷ୍ପତ୍ତି ନେଇଥିଲା। ପିଡିପି-ବିଜେପି ମେଣ୍ଟ ସରକାର ଭାଙ୍ଗିଯିବା ପରେ ଏବେ ଜାମ୍ମୁ କାଶ୍ମୀରରେ କେଉଁ ଦଳ ସରକାର ଗଢିବ କିମ୍ବା ରାଷ୍ଟ୍ରପତି ଶାସନ ଲାଗୁ ହେବ ସେନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।
ଉଲ୍ଲେଖ ଯେ ଜାମ୍ମୁ କାଶ୍ମୀରରେ ମୋଟ ବିଧାନସଭା ଆସନ ସଂଖ୍ୟା ୮୭ ରହିଛି ଓ ସରକାର ଗଢିବା ପାଇଁ ଯାଦୁ ସଂଖ୍ୟା ୪୪ ଆବଶ୍ୟକ। ଗତ ବିଧାନସଭା ନିର୍ବାଚନରେ କୌଣସି ଦଳ ସରକାର ଗଠନ ପାଇଁ ଆବଶ୍ୟକ ବହୁମତ ପାଇନଥିଲେ। ଗତ ବିଧାନସଭା ନିର୍ବାଚନ ଫଳ ଅନୁସାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ପିଡିପି ୨୮ ଆସନ ଜିତିଥିବାବେଳେ ବିଜେପି ୨୫, ଏନ୍‍ସି ୧୫ ଏବଂ କଂଗ୍ରେସ ୧୨ ଆସନରେ ବିଜୟୀ ହୋଇଥିଲେ।

ପ୍ରଥମ ବିକଳ୍ପ : ପିଡିପି ୨୮ ଓ କଂଗ୍ରେସ ୧୨ ବିଧାୟକ ମିଶି ସରକାର ଗଠନ କରିପାରିବେ। ମାତ୍ର ଏଥିପାଇଁ ଆଉ ୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ତେବେ କଂଗ୍ରେସ ପିଡିପି ସହ ମିଶି ସରକାର ଗଠନ କରିବାକୁ ମନା କରିଦେଇଛି।

ଦ୍ୱିତୀୟ ବିକଳ୍ପ : ବିଜେପି ୨୫ ଏବଂ ଏନ୍‍ସି ୧୫ ଆସନ ମିଶି ମେଣ୍ଟ ସରକାର ଗଠନ କରିପାରିବେ। ହେଲେ ଏଥିପାଇଁ ମଧ୍ୟ ଆଉ ୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏନ୍‍ସି ଓ ବିଜେପି ପରସ୍ପରର ନୀତି ଓ ଆଦର୍ଶକୁ ବିରୋଧ କରୁଥିବାରୁ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ସମ୍ଭାବନା ବହୁ କମ୍‍।

ତୃତୀୟ ବିକଳ୍ପ : ପିଡିପି ୨୮, ଏନ୍‍ସି ୧୫ ଏବଂ କଂଗ୍ରେସ ୧୫ ବିଧାୟକଙ୍କୁ ନେଇ ଏକ ଦୃଢ ମେଣ୍ଟ ସରକାର ଗଠନ କରିହେବ। ଏହି ତିନି ଦଳ ମିଶିଲେ ସରକାର ଗଠନ ପାଇଁ ଆବଶ୍ୟକ ୪୪କୁ ପାର କରି ୫୫ ଛୁଇଁବ।

ଚତୁର୍ଥ ବିକଳ୍ପ : ଯଦି କୌଣସି ଦଳ ମେଣ୍ଟ ସରକାର ଗଠନ ପାଇଁ ସହମତ ନହୁଅନ୍ତି ତେବେ ରାଷ୍ଟ୍ରପତି ଶାସନ ଲାଗୁ ହେବ। ବିଜେପି ରାଜ୍ୟପାଳ ଶାସନ ଲାଗୁ କରିବା ପାଇଁ ଦାବି କରିଛି। ଏନ୍‍ସି ନେତା ଉମର ଅବଦୁଲ୍ଲା ମଧ୍ୟ ରାଜ୍ୟପାଳଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି।

Leave A Reply