ଜାମ୍ମୁରୁ କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର

ଶ୍ରୀନଗର : ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ରସରକାର ବୁଧବାର ଜାମ୍ମୁରୁ ସମ୍ପୂର୍ଣ୍ଣ ଭାବେ କଟକଣା ପ୍ରତ୍ୟାହାର କରିଛନ୍ତି। ତେବେ କାଶ୍ମୀର ଉପତ୍ୟକାର କିଛି ଅଞ୍ଚଳରେ ଏହି କଟକଣା ବଳବତ୍ତର ରହିବ ବୋଲି ଜାମ୍ମୁ କାଶ୍ମୀର ପୁଲିସ ଅତିରିକ୍ତ ମହାନିର୍ଦେଶକ ମୁନିର ଖାଁ ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। ସ୍ବାଧୀନତା ଦିବସ ପୂର୍ବରୁ ଅଞ୍ଚଳରେ ସବୁକିଛି ସ୍ବାଭାବିକ ରହିଛି। ଏଣୁ ସମ୍ପୂର୍ଣ୍ଣ ଉତ୍ସାହର ସହିତ ସ୍ବାଧୀନତା ଦିବସ ପାଳନ କରିବାକୁ ସେ ଅଞ୍ଚଳବାସୀଙ୍କୁ ଆହ୍ବାନ ଦେଇଛନ୍ତି। ତେବେ ସ୍ବାଧୀନତା ଦିବସ କିଭଳି ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ ସେଥିନେଇ ବିଶେଷ ଧ୍ୟାନ ଦିଆଯାଇଛି। ଏହି ଅବସରରେ ଯେଭଳି କୌଣସି ଅଘଟଣ ନ ଘଟେ କିମ୍ବା ଜୀବନହାନୀ ନ ହୁଏ ସେଥିନେଇ ପୁଲିସ ପ୍ରଶାସନ ସତର୍କ ରହିଥିବା ସେ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ କାରଣରୁ କିଛି ଲୋକଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ ସେ କାହାରି ନାମ ପ୍ରକାଶ କରି ନ ଥିଲେ।
ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ମୁଖପାତ୍ର ତଥା ମୁଖ୍ୟ ଶାସନସଚିବ ରୋହିତ କନସଲ କହିଛନ୍ତି, ଜାମ୍ମୁ ସମ୍ପୂର୍ଣ୍ଣ କଟକଣା ରହିତ ହୋଇଛି। ସ୍ବାଧୀନତା ଉପଲକ୍ଷେ ପରେଡ ଅଭ୍ୟାସ କାର୍ଯ୍ୟକ୍ରମ ଶେଷ ହେବା ପରେ ଜାମ୍ମୁ କାଶ୍ମୀର ବିଭିନ୍ନ ଜିଲା ଓ ଲଦାଖରେ ସ୍ଥିତି ଆହୁରି ସ୍ବାଭାବିକ ହେବ ବୋଲି ସେ ଦର୍ଶାଇଛନ୍ତି। ଉଲ୍ଲେଖ ଯେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବ ଦିନ ଅଗଷ୍ଟ ୪ରୁ ଏଠାରେ କଡ଼ା କଟକଣା ଲାଗୁ କରାଯାଇଥିଲା। ମୋବାଇଲ, ଇଣ୍ଟରନେଟ ଯୋଗାଯୋଗ ଏବଂ କେବୁଲ ଟିଭି ଉପରେ ରୋକ ଲଗାଇବା ସହିତ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪୦୦ରୁ ଊର୍ଦ୍ଧ୍ବ ନେତାଙ୍କୁ ଗିରଫ କରାଯାଇଛି।

Comments are closed.