ଚେନ୍ନାଇ ଓ ବେଙ୍ଗାଲୁରୁରେ ସୃଷ୍ଟି ହେବ କେପଟାଉନ ଭଳି ସ୍ଥିତି: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ

ଜଳ ସଙ୍କଟ ନେଇ ସଚେତନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢି ଚାଲିଛି ଜଳ ସଙ୍କଟ । ଏପରି ସ୍ଥିତିରେ ଜଳ ସଙ୍କଟ ପାଇଁ ଚିନ୍ତା‌ ପ୍ରକଟ କରିଛନ୍ତି କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ । ଶେଖାୱାତ କହିଛନ୍ତି ଯେ, ଏବେ ସମୟ ଆସିଛି ଆମେ ଜଳ ସମସ୍ୟାକୁ ନେଇ ଚିନ୍ତା କରିବା ସହ ଜଳ ସଞ୍ଚୟ କରିବା ଦିଗରେ ଉଚିତ ପଦକ୍ଷେପ ନେବା । ଯଦି ସମୟ ଥାଉ ଥାଉ ଆମେ ଠିକ ପଦକ୍ଷେପ ନ ଉଠାନ୍ତି ତେବେ ସେ ଦିନ ବେଶି ଦୁର ନାହିଁ ଯେତେବେଳେ ଚେନ୍ନାଇ ଏବଂ ବେଙ୍ଗାଲୁରୁ ସହର ଟୋପେ ଟୋପେ ଜଳ ପାଇଁ ଦକ୍ଷିଣ ଆଫ୍ରିକାର କେପଟାଉନ ସହର ପରି ଅବସ୍ଥା ଭୋଗିବ। ଦକ୍ଷିଣ ଆଫ୍ରିକାର ରାଜଧାନୀ କେପଟାଉନରେ ୨୦୧୭-୧୮ରେ ଗମ୍ଭୀର ଜଳ ସଙ୍କଟ ଦେଖା ଦେଇଥିଲା। ସହରରୁ ପାଣି ସମ୍ପୁର୍ଣ୍ଣ ମାତ୍ରାରେ ଶେଷ ହୋଇଯାଇଥିଲା। ବର୍ତ୍ତମାନ ଦେଶରେ ବଢି ଚାଲିଥିବା ଜନସଂଖ୍ୟାକୁ ଏବଂ ସହରୀକରଣ ପାଇଁ ବେଙ୍ଗାଲୁରୁରେ ଜଳ ସଙ୍କଟ ଧୀରେ ଧୀରେ ବଢିବାରେ ଲାଗିଛି। ବହୁ ସଂଖ୍ୟାରେ ଲୋକ ବର୍ତ୍ତମାନ ଜଳ ପାଇଁ ପାଣି ଟ୍ୟାଙ୍କର ଉପରେ ନିର୍ଭରଶୀଳ ହେବାରେ ଲାଗିଛନ୍ତି। ଚେନ୍ନାଇରେ ମଧ୍ୟ ଏପରି ପରିସ୍ଥିତି ସୃଷ୍ଟି ହୋଇ ସାରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ବାଧୀନତା ସମୟରେ ପ୍ରତି ବ୍ୟକ୍ତି ପିଛା ଜଳ ଉପଲବ୍ଧତା ୫୦୦୦ ଘନ ମିଟର ରହିଥିଲା । ଯାହା ବର୍ତ୍ତମାନ ହ୍ରାସ ପାଇ ୧୫୪୦ ଘନ ମିଟରରେ ପହଞ୍ଚିଯାଇଛି। ଶେଖାୱାତ କହିଛନ୍ତି ଯଦି ଏମିତି ଜଳର ଉପଲବ୍ଧତା କମି କମି ଯିବ ଏବଂ ଦେଶର ବଢୁଥିବା ଜନସଂଖ୍ୟା ଉପରେ ନିୟନ୍ତ୍ରଣ କରାନଯିବ ତେବେ ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକାର ରାଜଧାନୀ କେପଟାଉନର ପରିସ୍ଥିତି ସୃଷ୍ଟି ହୋଇଯିବ।

Comments are closed.