ବିଦାୟ ନେଲେ ଜେଟଲୀ

ନୂଆଦିଲ୍ଲୀ: ୧୬ ଦିନ ଧରି ଜୀବନ ସହ ସଂଗ୍ରାମ କରି ହାରିଯିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଶେଷରେ ପଞ୍ଚଭୂତରେ ଲୀନ ହୋଇଛନ୍ତି। ରବିବାର ନୂଆଦିଲ୍ଲୀର ଯମୁନା ନଦୀ କୂଳରେ ଥିବା ନିଗମବୋଧ ଘାଟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ସହିତ ଏହି ମହାନ ରାଜନେତା ଦେଶବାସୀଙ୍କଠାରୁ ଚିରଦିନ ପାଇଁ ବିଦାୟ ନେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ଏକ ଶୋକାକୂଳ ପରିବେଶରେ ଦଳର ବରିଷ୍ଠ ନେତା, ବୁଦ୍ଧିଜୀବୀ ଏବଂ ପରିବାର ଓ ଆତ୍ମୀୟସ୍ବଜନମାନେ ଜେଟଲୀଙ୍କୁ ଅଲ୍‌ବିଦା ଜଣାଇଥିଲେ।

ରବିବାର ଅପରାହ୍ନ ପ୍ରାୟ ୧ଟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରୁ ଜେଟଲୀଙ୍କ ପାର୍ଥିବ ଶରୀରକୁ ନିଗମବୋଧ ଘାଟସ୍ଥିତ ଶ୍ମଶାନକୁ ବିରାଟ ଶୋଭାଯାତ୍ରାରେ ଅଣାଯାଇଥିଲା। ସେଠାରେ ଜେଟଲୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ପରେ ବିଧି ଅନୁସାରେ କ୍ରିୟାକର୍ମ ସମ୍ପନ୍ନ ହେବା ପରେ ଶେଷକୃତ୍ୟ କରାଯାଇଥିଲା। ଉପସ୍ଥିତ ବରିଷ୍ଠ ନେତାମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁଅ ରୋହନ ମୁଖାଗ୍ନି ଦେଇଥିଲେ।

Comments are closed.