ଜେପିଏସ ଚାୱଲା ହେଲେ ନୂଆ ମହାଲେଖା ନିୟନ୍ତ୍ରକ

ନୂଆଦିଲ୍ଲୀ: ଜେପିଏସ ଚାୱଲା ବୁଧବାର ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗରେ ନୂତନ ମହାଲେଖା ନିୟନ୍ତ୍ରକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୫ ବ୍ୟାଚର ସେବା ଅଧିକାରୀ ଚାୱଲାଙ୍କୁ ଭାରତ ସରକାର ନିୟମିତ ଆଧାରରେ ଅକ୍ଟୋବର ୧୫, ୨୦୧୯ରୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗରେ ମହାଲେଖା ନିୟନ୍ତ୍ରକ ଭାବେ ନିଯୁକ୍ତ କରିଛନ୍ତି। ତେବେ ସେ ସେପ୍ଟେମ୍ବର ୧, ୨୦୧୯ରୁ ସିଜିଏ ଭାବେ କାର୍ଯ୍ୟ କରିଆସୁଛନ୍ତି ।

ଜେପିଏସ ଚାୱଲା ଚାୱଲା ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି। ସିଭିଲ ସେବାକୁ ଆସିବା ପୂର୍ବରୁ ସେ ଚାରି ବର୍ଷ ପାଇଁ ଇଞ୍ଜିନିୟରିଂ ଇଣ୍ଡିଆ ଲିମିଟେଡରେ କାର୍ଯ୍ୟ କରିଛନ୍ତି। ନିଜର ୩୪ ବର୍ଷର କ୍ୟାରିଅରରେ ସେ ପ୍ରସାର ଭାରତୀ, ସହରୀ ବିକାଶ, ନାଗରିକ ଉନ୍ନୟନ ଏବଂ ପର୍ଯ୍ୟଟନ ଓ କୃଷି ଭଳି ଅନେକ ମନ୍ତ୍ରଣାଳୟର ବିଭିନ୍ନ ପଦରେ କାର୍ଯ୍ୟ କରିଛନ୍ତି । ସେ ଦିଲ୍ଲୀ ବିକାଶ ପ୍ରାଧିକରଣ, ଇନ୍ଦ୍ରପ୍ରସ୍ଥ ପାୱାର ଜେନେରେସନ କମ୍ପାନୀ ଲିମିଟେଡ ଓ ପ୍ରଗତି ପାୱାର ଲିମିଟେଡରେ ନିର୍ଦ୍ଦେଶକ (ଅର୍ଥ) ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସିଜିଏ ପଦଭାର ସମ୍ଭାଳିବା ପୂର୍ବରୁ ଚାୱଲା ମୁଖ୍ୟ ଲେଖା ନିୟନ୍ତ୍ରକ, ସିବିଆଇସି ଭାବେ କାର୍ଯ୍ୟ କରିଥିଲେ।

ସେ ସରକାରୀ ଆର୍ଥିକ ପ୍ରବନ୍ଧନ ପ୍ରଣାଳୀ ସହିତ ସିବିଆଇସିର ଆଇଜିଏସଟି ରିଫଣ୍ଡ ଦେୟ ନେଟୱର୍କ ଏକୀକରଣରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଯାହାକି ଭାରତ ସରକାରଙ୍କ ନିର୍ଣ୍ଣୟର ଅଂଶବିଶେଷ ଭାବେ ସମସ୍ତ ସରକାରୀ ରସିଦ ଓ ଦେୟକୁ ମହାଲେଖା ନିୟନ୍ତ୍ରକ କାର୍ୟ୍ୟାଳୟର ପିଏଫଏମଏସ ପୋର୍ଟାଲ ମାଧ୍ୟମରେ ଡିଜିଟାଲାଇଜେସନ କରିବା ପାଇଁ କରାଯାଇଥିଲା।

Comments are closed.