ମହାକାଶରୁ ସୀମା ଉପରେ ନଜର ରଖିବ ଭାରତ, ୩ ସର୍ଭେଲାନ୍ସ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ: ମହାକାଶରୁ ଦେଶର ସୀମା ଉପରେ ନଜର ରଖିବ ଭାରତ। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ୩ଟି ସର୍ଭେଲାନ୍ସ ସାଟେଲାଇଟ୍‌ ମହାକାଶକୁ ଉତ୍‌କ୍ଷେପଣ କରାଯିବ। ଏ ନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଆସନ୍ତା ୨୫ ତାରିଖରେ ଗୋଟିଏ ସାଟେଲାଇଟ୍‌ ‘କାର୍ଟୋସାଟ୍‌-୩’ ଉତ୍‌କ୍ଷେପଣ କରାଯିବାକୁ ଥିବାବେଳେ ଅବଶିଷ୍ଟ ୨ଟି ଡିସେମ୍ବର ୨ରେ ମହାକାଶକୁ ପଠାଯିବ। ଏହି ୩ଟି ସାଟେଲାଇଟ୍‌ ଦେଶର ସୀମା ପାଇଁ ବହୁ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ଏହି ୩ଟି ସାଟେଲାଇଟ୍‌ ବ୍ୟତୀତ, ୨୪ରୁ ଅଧିକ ବିଦେଶୀ ନାନୋ ଏବଂ ମାଇକ୍ରୋ ସାଟେଲାଇଟ୍‌ ମହାକାଶକୁ ଛଡ଼ାଯିବ। ୩ଟି ପିଏସଏଲଭି ରକେଟ୍‌ ଜରିଆରେ ଏସବୁ ଉତ୍‌କ୍ଷେପଣ କରାଯିବ।

ପିଏସଏଲଭି ସି-୪୭ ରକେଟ୍‌କୁ ଆସନ୍ତା ୨୫ ତାରିଖରେ ଶ୍ରୀହରିକୋଟାଠାରୁ ସକାଳ ୯ଟା ୨୮ରେ ଉତ୍‌କ୍ଷେପଣ କରାଯିବ। ଏହି ରକେଟ୍‌ ଜରିଆରେ ଗୋଟିଏ କାର୍ଟୋସାଟ୍‌-୩ ସମେତ ଆମେରିକାର ୧୩ଟି କମର୍ସିଆଲ ନାନୋ ସାଟେଲାଇଟ୍‌ ମହାକାଶକୁ ପଠଯିବ। କାର୍ଟୋସାଟ୍‌-୩କୁ ୫୦୯ କିଲୋମିଟର ଅର୍ବିଟରେ ସ୍ଥାପନା କରାଯିବ। ଅନ୍ୟ ୨ଟି ସର୍ଭେଲାନ୍ସ ସାଟେଲାଇଟ ରିସାଟ-୨ବିଆର୧ ଏବଂ ରିସାଟ-୨ବିଆର୨କୁ ପିଏସଏଲଭି ୪୮ ଏବଂ ସି-୪୯ ରକେଟ୍‌ ଜରିଆରେ ଉତ୍‌କ୍ଷେପଣ କରାଯିବ।

Comments are closed.