ସୀମାନ୍ତ ସୁରକ୍ଷାରେ ସହଯୋଗ କରିବ ସ୍ବତନ୍ତ୍ର ଉପଗ୍ରହ

0

ନୂଆଦିଲ୍ଲୀ : ଭାରତୀୟ ସୀମାର ସୁରକ୍ଷା ବ୍ୟବସ୍ଥାକୁ ବଳିଷ୍ଠ କରିବା ପାଇଁ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ସ୍ବତନ୍ତ୍ର ଉପଗ୍ରହକୁ ଉପଯୋଗ କରିବ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଚୀନ୍‌, ପାକିସ୍ତାନ, ବାଂଲାଦେଶ, ନେପାଳ, ଭୂଟାନ ଓ ମ୍ୟାଁମାର ଭୂ-ଭାଗକୁ ଲାଗି ରହିଛି ଭାରତର ସର୍ବାଧିକ ସୀମା। ‘ଇଣ୍ଡିଆନ ରେଜିଓନାଲ ନାଭିଗେସନ୍‌ ସାଟେଲାଇଟ ସିଷ୍ଟମ’ ବା ‘ଆଇଆରଏନ୍‌ଏସ୍‌ଏସ୍‌’ ମାଧ୍ୟମରେ ଉପଗ୍ରହ ମହାକାଶରୁ ସୀମାନ୍ତରେ ସେନା ଚଳାଚଳ ଯୋଜନା, ଜଗୁଆଳ, ସୁରକ୍ଷା ପଦକ୍ଷେପ ଓ ଭିତ୍ତିଭୂମି ଇତ୍ୟାଦି ସମ୍ପର୍କରେ ଆବଶ୍ୟକ ସହଯୋଗ କରିବ। ଏହା ମହାକାଶରୁ ଉଚ୍ଚମାନର ଫଟୋ ଓ ଯୋଗାଯୋଗ ତଥ୍ୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇବ ଏବଂ ସେହି ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସୀମାନ୍ତ ସୁରକ୍ଷା କ୍ଷେତ୍ରରେ ମହାକାଶ ଜ୍ଞାନକୌଶଳର ଉପଯୋଗ ସଂକ୍ରାନ୍ତ ଟାସ୍କଫୋର୍ସର ସୁପାରିସ ଆଧାରରେ ଧାର୍ଯ୍ୟ ଅବଧି ମଧ୍ୟରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଇସ୍ରୋ ସହଯୋଗରେ ଆସନ୍ତା ୫ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଏଥିପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ସହ କାର୍ଯ୍ୟକାରୀ ଏଜେନ୍ସି ଗଠନ କରାଯିବ। ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ଏହାର ଉପଯୋଗ କରାଯିବ।

Leave A Reply