ହନୁମାନ ଚାଳିଶା ପାଠରେ ସାମିଲ ହେବାରୁ ଇଶରତ ଜହାଁଙ୍କୁ ହତ୍ୟା ଧମକ

ହାଓଡ଼ା: ସାମୁହିକ ହନୁମାନ ଚାଳିଶା ପାଠରେ ସାମିଲ ହେବାରୁ ତିନି ତଲାକ ମାମଲାର ଆବଦେନକାରୀ ଇଶରତ୍‌ ଜହାଁଙ୍କୁ ହତ୍ୟା ଧମକ ମିଳିଛି। ଏଥିସହିତ ତାଙ୍କୁ ତୁରନ୍ତ ଘର ଖାଲିକରି ସ୍ଥାନ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦିଆଯାଇଛି। ଇଶରତ ଗତ ମଙ୍ଗଳବାର ସନ୍ଧ୍ୟାରେ ହାଓଡ଼ାରେ ଡବସନ ରୋଡ୍‌ସ୍ଥିତ ସଙ୍କଟମୋଚନ ହନୁମାନ ମନ୍ଦିରରେ ହନୁମାନ ଚାଳିଶା ପାଠରେ ସାମିଲ ହୋଇଥିଲେ। ଏହା ପରେ ଇଶରତଙ୍କ ଘର ମାଲିକ ମନାଜୀର ହୁସେ ତାଙ୍କୁ ଘର ଛାଡ଼ିବାକୁ କହିଥିଲେ।

ଏହା ବ୍ୟତୀତ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ବୁଧବାର ଅପରାହ୍ନରେ ଶତାଧିକ ଲୋକ ତାଙ୍କ ଘର ବାହାରେ ଏକତ୍ର ହୋଇ ବିରୋଧ କରିବା ସହିତ ଘର ଛାଡ଼ି ଚାଳିଯିବାକୁ ନାରାବାଜି ଦେଇଥିଲେ। ଏହି ଘଟଣା ପରେ ଇଶରତ ପୁଲିସ ଓ ପ୍ରଶାସନଠାରୁ ସୁରକ୍ଷା ଲୋଡ଼ିଛନ୍ତି। ସୂଚନାଯୋଗ୍ୟ, ଇଶରତ୍‌ ବୁର୍‌ଖା ପିନ୍ଧି ହନୁମାନ ଚାଳିଶା ପାଠରେ ସାମିଲ ହୋଇଥିଲେ। ପଡ଼ୋଶୀମାନେ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ବାରଣ କରିଥିଲେ। ତେବେ ସେ ନିଜ ଖୁସିରେ ଏଥିରେ ଯୋଗଦେଇଥିବା ଇଶରତ କହିଛନ୍ତି।

Comments are closed.