ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିବେ ଇର୍ଫାନ୍‌, ହରଭଜନ୍‌

ନୂଆଦିଲ୍ଲୀ : ଭାରତୀୟ ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌ ଓ ଅଫସ୍ପିନର୍‌ ହରଭଜନ୍‌ ସିଂହ ଦୁଇଟି ଭିନ୍ନ ଭିନ୍ନ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଇର୍ଫାନ୍‌ ଟ୍ବିଟର୍‌ରେ ଏକ ଭିଡିଓ ଛାଡ଼ି ଦର୍ଶାଯାଇଛନ୍ତି ସେ ଅଭିନୟ କରିବାକୁ ଯାଉଥିବା ଚଳଚ୍ଚିତ୍ରର ନାମ ‘ବିକ୍ରମ ୫୮ ’ ରଖାଯାଇଛି ଏବଂ ଅଜୟ ଜ୍ଞାନମୁଥୁ ଏହାର ନିର୍ଦେଶନା ଦେବେ। ଚଳଚ୍ଚିତ୍ରରେ ଇର୍ଫାନ୍‌ଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।
ଅନ୍ୟପକ୍ଷରେ ହରଭଜନ୍‌ ସିଂହ ଯେଉଁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ତାହାର ନାମ ‘ଡିକିଲୋନା’ ରହିଛି। କାର୍ତ୍ତିକ ଯୋଗୀ ଏହାର ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇବେ ବୋଲି ଜଣାପଡ଼ିଛି। ହରଭଜନ୍‌ ଟ୍ବିଟ୍‌ କରି ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିବା ବିଷୟ ସ୍ପଷ୍ଟ କରିବା ସହ ତାଙ୍କୁ ସୁଯୋଗ ଦେଇଥିବା ଚଳଚ୍ଚିତ୍ର ନିର୍ଦେଶକ, ନିର୍ମାତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ସୂଚନାଥାଉକି ପଠାନ୍‌ ୨୦୧୨ରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି। ସେ ୨୦୧୨ରେ ଶ୍ରୀଲଙ୍କା ବିପକ୍ଷରେ ଶେଷଥର ପାଇଁ ଭାରତୀୟ ଟ୍ବେଣ୍ଟି୨୦ ଦଳ ତରଫରୁ ଖେଳିଥିଲେ। ହରଭଜନ୍‌ଙ୍କ ପରେ ଦ୍ବିତୀୟ ଭାରତୀୟ ବୋଲର ଭାବେ ଟେଷ୍ଟରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ ପଠାନ୍‌। ସେ ଭାରତ ତରଫରୁ ୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୦୦ଟି ୱିକେଟ୍‌ ହାସଲ କରିଥିବା ବେଳେ ୧୦୨ଟି ଦିନିକିଆ ମ୍ୟାଚ୍‌ ଖେଳି ୧୭୩ଟି ୱିକେଟ୍ ହାସଲ କରିିଥିଲେ। ହରଭଜନ୍‌ ସିଂହ ୨୦୧୬ରେ ଶେଷଥର ପାଇଁ ଭାରତ ତରଫରୁ ଖେଳିଥିଲେ। ସେ ନିଜ କ୍ୟାରିୟରରେ ୨୩୬ଟି ଦିନିକିଆ, ୧୦୩ଟି ଟେଷ୍ଟ ଓ ୨୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଟେଷ୍ଟରେ ହରଭଜନ୍‌ ୪୧୭ଟି ୱିକେଟ୍‌ ନେଇଥିବା ବେଳେ ଦିନିକିଆରେ ୨୬୦ଟି ୱିକେଟ୍‌ ହାସଲ କରିଛନ୍ତି। ବର୍ତ୍ତମାନ ସେ ଆଇପିଏଲ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ତରଫରୁ ଖେଳୁଛନ୍ତି।

Comments are closed.