ଭାରତ-ଇରାନ ବିଦେଶ ମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଇରାନ ବିଦେଶ ମନ୍ତ୍ରୀ ଜାଭେଦ ଜାରିଫ ମଙ୍ଗଳବାର ନୂଆଦିଲ୍ଲୀଠାରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ କରି ତେଲ ଆମଦାନୀ ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆମେରିକାର ପ୍ରତିବନ୍ଧକ ଯୋଗୁ ଭାରତ ଇରାନଠାରୁ ତେଲ ଆମଦାନୀ ବନ୍ଦ କରିଦେଇଛି। ଏହାକୁ ନେଇ ଇରାନ ବିଦେଶ ମନ୍ତ୍ରୀ ଭାରତ ଗସ୍ତରେ ଆସଛନ୍ତି। ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ, ଅର୍ଥନୈତିକ, ରାଜନୈତିକ ଓ ଆଞ୍ଚଳିକ ସହଯୋଗ ନେଇ ଆଲୋଚନା ହୋଇଛି।
ସୁଷମା ସ୍ୱରାଜଙ୍କ ସହ ବୈଠକ ପୂର୍ବରୁ ଜାରିଫ କହିଥିଲେ ଯେ ଭାରତ ହେଉଛି ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ସେହିପରି ଆମେରିକା- ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ବିବାଦ ଓ ଉତ୍ତେଜନାକୁ ନେଇ ଜାରିଫ ପ୍ରତିକ୍ରିୟା ରଖିଥିଲେ। ଜାରିଫ କହିଛନ୍ତି ଯେ ଆମେରିକା ଅଯଥାରେ ବିବାଦକୁ ବଢାଉଛି। ବିଭିନ୍ନ ପ୍ରସଙ୍ଗ ନେଇ ଆମେ ଭାରତ ସହ ନିୟମିତ ଆଲୋଚନା କରିଆସିଛୁ। ଏବେକାର ଅଞ୍ଚଳିକ ଘଟଣାକ୍ରମ ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିଛୁ।
ପ୍ରକାଶ ଯେ ୨୦୧୫ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ପରମାଣୁ ରାଜିନାମାକୁ ରଦ୍ଦ କରିଦେଇଥିଲେ। ସେବେଠାରୁ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଲାଗି ରହିଛି। ଏହି କ୍ରମରେ ଆମେରିକା ଇରାନ ଉପରେ ଅନେକ ପ୍ରତିବନ୍ଧକ ଲାଗୁ କରିଛି। ଆମରେିକା କେବଳ ତେଲ ଆମଦାନୀ କ୍ଷେତ୍ରରେ ଭାରତ ସମେତ ୮ଟି ଦେଶ ପାଇଁ ପ୍ରତିବନ୍ଧକକୁ କୋହଳ କରିଥିଲା। ନିକଟରେ ନୂଆ ପ୍ରତିବନ୍ଧକରେ ଏହି କୋହଳକୁ ଉଠାଇ ଦିଆଯାଇଛି। ଫଳରେ ଚୀନ ଓ ଭାରତ ଇରାନଠାରୁ ତେଲ କିଣିବା ବନ୍ଦ କରିଦେଇଛନ୍ତି। ଏହା ଇରାନ ପାଇଁ ଚିନ୍ତାର ବିଷୟ ହୋଇଛି।

Comments are closed.