ଯୁଦ୍ଧ ହେଲେ ସମଗ୍ର ଉପସାଗରକୁ ବ୍ୟାପିବ : ଇରାନ

ଦୁବାଇ/ୱାଶିଂଟନ : ଗଲ୍ଫ ଉପସାଗର ଅଞ୍ଚଳରେ କୌଣସି ପ୍ରକାର ଯୁଦ୍ଧ ହେଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଯୁଦ୍ଧ ଆରମ୍ଭ ହେଲେ ଏହା ସମଗ୍ର ଉପସାଗରକୁ ବ୍ୟାପିବ ବୋଲି ରବିବାର ଆମେରିକାକୁ ଇରାନ ଧମକ ଦେଇଛି। ଇରାନ ସେନାର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି ଯୁଦ୍ଧ ଦ୍ବାରା ଆମେରିକା ସୈନ୍ୟଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିବ। ଅନ୍ୟପଟେ ଇରାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଆମେରିକା ଅଧିକ ଆର୍ଥିକ କଟକଣା ଲାଗୁ କରିବାକୁ ଯୋଜନା କରିଛି। ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବାକୁ ସେ ଅଧିକ କଟକଣା ଲାଗୁ କରିବେ। ସୋମବାରଠାରୁ ଇରାନ ଉପରେ ନୂଆପ୍ରତିବନ୍ଧକ ଲଗାଯିବ ବୋଲି ସେ କହିଛନ୍ତି । ଏହାସହ ଇରାନକୁ ପରମାଣୁ ଅସ୍ତ୍ର ବିକଶିତ କରିବାକୁ ଦେବୁ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ଇରାନର କ୍ଷେପଣାସ୍ତ୍ର ନିୟନ୍ତ୍ରଣ କେନ୍ଦ୍ରର ସର୍ଭର (ମିଶାଇଲ କଣ୍ଟ୍ରୋଲ ସିଷ୍ଟମ) ଏବଂ ଗୁପ୍ତଚର ନେଟୱାର୍କ ଉପରେ ସାଇବର ଆକ୍ରମଣ କରିଛି। ଟ୍ରମ୍ପ ଟ୍ୱିଟ୍‍ କରିଛନ୍ତି ଯେ ଇରାନ ପାଖରେ ପରମାଣୁ ଅସ୍ତ୍ର ଅଛି କି ନାହିଁ, ତାହା ବିନା ଯାଞ୍ଚରେ କହି ହେବନି। ଆମେରିକାର ଏକ ଗୁପ୍ତଚର ଡ୍ରୋନକୁ ଇରାନ ଖସାଇ ଦେବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୮ରେ ଇରାନ ସହ ପରମାଣୁ ବୁଝାମଣାକୁ ଆମେରିକା ରଦ୍ଦ କରିଦେଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି।

Comments are closed.