ଇରାନ ସେନା ପରେଡ ଉପରେ ଆକ୍ରମଣ: ୨୫ମୃତ; ୬୦ଆହତ

0

ତେହେରାନ୍‍ : ଦକ୍ଷିଣ-ପଶ୍ଚିମ ଇରାନର ଆହବାଜ ସହରରେ ଏକ ସେନା ପରେଡ ଉପରେ ୪ଜଣ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିମାଡ଼ରେ ୨୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୨ଜଣ ଯବାନ(ଇରାନ୍‍ର ଶକ୍ତିଶାଳୀ ଇସଲାମିକ୍‍ ରିଭୋଲୁସନାରୀ ଗାର୍ଡ କର୍ପ) ରହିଥିବା ଜଣାପଡ଼ିଛି। ଏହି ଗୁଳିକାଣ୍ଡରେ ୬୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ପରେଡ ଦେଖୁଥିବା ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ଶନିବାର ଇସ୍‍ଲାମିକ ରିପବ୍ଲିକ୍‍ ପ୍ରତିଷ୍ଠାର ବାର୍ଷିକୀ ପାଳନ ଉପଲକ୍ଷେ ଅନୁଷ୍ଠିତ ପରେଡରେ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲାବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ତେବେ ସେନାର ପ୍ରତିଆକ୍ରମଣରେ ସମସ୍ତ ୪ଜଣ ବନ୍ଧୁକଧାରୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଇରାନ୍‍ ସରକାରୀ ଟିଭିରେ କୁହାଯାଇଛି। ଏହି ଆକ୍ରମଣ ପାଇଁ ଇରାନୀୟ ମୂଳ ଆରବ ବିରୋଧୀ ସଂଗଠନ ‘ଅହବାଜ୍‍ ନ୍ୟାସନାଲ ରେଜିଷ୍ଟାନ୍ସ’ ନିଜକୁ ଦାୟୀ କରିଛି। ଏହାଛଡ଼ା ଆତଙ୍କବାଦୀ ସଂଗଠନ ଇସ୍‍ଲାମିକ ଷ୍ଟେଟ୍‍(ଆଇଏସ୍‍) ମଧ୍ୟ ଏଥିପାଇଁ ନିଜକୁ ଦାୟୀ କରି ବିବୃତ୍ତି ଦେଇଛି। ତେବେ ଏହି ଆକ୍ରମଣ ପଛରେ ସୁନ୍ନି ସମ୍ପ୍ରଦାୟର ଉଗ୍ରବାଦୀଙ୍କ ହାତ ଥିବା ଟେଲିଭିଜନ ଖବରରେ କୁହାଯାଇଛି। ସେନା ମୁଖପାତ୍ରଙ୍କ କହିବାନୁଯାୟୀ, ଆକ୍ରମଣକାରୀ ପରେଡରେ ସାମିଲ ଯବାନଙ୍କୁ ପଛପଟୁ ଗୁଳି ଚଳାଇଥିଲେ। ସେମାନେ ଆମେରିକା ଓ ଇସ୍ରାଏଲ ଦ୍ୱାରା ପ୍ରାୟୋଜିତ ଏବଂ ଆରବ ଦେଶ ଦ୍ୱାରା ତାଲିମପ୍ରାପ୍ତ। ଜୁଲାଇରେ ଇରାକ ସୀମାରେ ନିୟୋଜିତ ସେନାର ୧୦ଜଣ ଯବାନଙ୍କୁ କୁର୍ଦିଶ ଆତଙ୍କବାଦୀ ହତ୍ୟା କରିବା ପରେ ଏହା ବଡ଼ଧରଣର ଆକ୍ରମଣ ବୋଲି କୁହାଯାଉଛି। ପୂର୍ବରୁ ଏଭଳି ପ୍ରଥମ ଘଟଣାକ୍ରମେ ପାର୍ଲାମେଣ୍ଟ ଓ ଖୋମିନି କବରସ୍ଥଳ ନିକଟରେ ହୋଇଥିବା ଆଇଏସ୍‍ ଆତଙ୍କବାଦୀଙ୍କ ଆକ୍ରମଣରେ ୧୮ ଯବାନ ନିହତ ହୋଇଥିଲେ।

Leave A Reply