ସନରାଇଜର୍ସ-ସିଏସ୍‍କେ ମୁକାବିଲା

0

ମୁମ୍ବଇ : ରବିବାର ସୁଦ୍ଧା ଚଳିତ ଆଇପିଏଲର ଲିଗ୍‍ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ଶ୍ରେଷ୍ଠ ଚାରିଟି ଦଳ ଭାବେ ସନରାଇଜର୍ସ ହାଇଦରାବାଦ, ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ), କଲକାତା ନାଇଟରାଇଡର୍ସ ଓ ରାଜସ୍ଥାନ ରୟାଲ୍‍ସ ପ୍ଲେଅଫ୍‍କୁ ଉନ୍ନୀତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚରେ ସନରାଇଜର୍ସ ହାଇଦରାବାଦ ଚେନ୍ନଇ ସୁପର କିଙ୍ଗ୍‍ସକୁ ଭେଟିବ। ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲକୁ ଉନ୍ନୀତ ହେଉଥିବାବେଳେ ପରାଜିତ ଦଳ ପାଇଁ ଆଉ ଏକ ସୁଯୋଗ ମିଳିବ। ୨୩ରେ କଲକାତାରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ (କଲକାତା ନାଇଟରାଇର୍ଡସ-ରାଜସ୍ଥାନ ରୟାଲ୍‍ସ)ର ବିଜେତା ଓ କ୍ୱାଲିଫାୟର-୧ର ପରାଜିତ ଦଳ ମଧ୍ୟରେ କ୍ୱାଲିଫାୟର-୨ ମ୍ୟାଚ ଖେଳାଯିବ। କ୍ୱାଲିଫାୟର-୨ର ବିଜେତା ଆସନ୍ତା ୨୭ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରଥମ କ୍ୱାଲିଫାୟର ମ୍ୟାଚର ବିଜେତା ଦଳକୁ ଭେଟିବ।
ଚଳିତ ଆଇପିଏଲର ଲିଗ୍‍ ପର୍ଯ୍ୟାୟରେ ଉଭୟ ସନରାଇଜର୍ସ ଓ ସିଏସ୍‍କେ ପ୍ରତ୍ୟେକ ୧୪ଟି ମ୍ୟାଚ ଖେଳି ସମାନ ୧୮ ପଏଣ୍ଟ ଲେଖାଏଁ ହାସଲ କରିଥିଲେ ସୁଦ୍ଧା ଉନ୍ନତ ରନରେଟ୍‍ ଯୋଗୁଁ ସନରାଇଜର୍ସ ଟେବୁଲର ଶୀର୍ଷରେ ସ୍ଥାନ ପାଇଛି। ଦୁଇ ଦଳର ଶକ୍ତି ଓ ସାମର୍ଥ୍ୟ ମଧ୍ୟରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହେଉନଥିବାରୁ ପ୍ରଥମ କ୍ୱାଲିଫାୟର ମ୍ୟାଚ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ତେବେ ଲିଗ୍‍ ପର୍ଯ୍ୟାୟରେ ଏହି ଦୁଇ ଦଳ ଦୁଇଥର ପରସ୍ପରକୁ ଭେଟିଥିବାବେଳେ ଉଭୟ କ୍ଷେତ୍ରରେ ସିଏସ୍‍କେ ବିଜୟୀ ହୋଇଛି। ୨୨ ଏପ୍ରିଲରେ ହାଇଦରାବାଦରେ ଖେଳାଯାଇଥିବା ମ୍ୟାଚରେ ସିଏସ୍‍କେ ୪ ରନରେ ବିଜୟୀ ହୋଇଥିବାବେଳେ ମେ’ ୧୩ରେ ପୁଣେରେ ଆୟୋଜିତ ଦ୍ୱିତୀୟ ମ୍ୟାଚରେ ସିଏସ୍‍କେ ୮ ୱିକେଟରେ ବିଜୟୀ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ସିଏସ୍‍କେ ଦଳ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ନିଶ୍ଚିତଭାବେ ଆଗୁଆ ରହିବ। ପୁନଶ୍ଚ ସନରାଇଜର୍ସ ଦଳ ଲିଗ୍‍ ପର୍ଯ୍ୟାୟର ଶେଷ ତିନିଟି ମ୍ୟାଚରେ ପରାଜୟ ବରଣ କରିଥିବାବେଳେ ସିଏସ୍‍କେ ତାହାର ଶେଷ ଲିଗ୍‍ ମ୍ୟାଚରେ କିଙ୍ଗ୍‍ସ ଏକାଦଶ ପଞ୍ଜାବକୁ ହରାଇଥିଲା।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ସିଏସ୍‍କେ ଦଳ ଲଢୁଆ ପ୍ରଦର୍ଶନ ପାଇଁ ବେଶ ଜଣାଶୁଣା। ଦଳରେ ସେନ୍‍ ୱାଟ୍‍ସନ, ଅମ୍ବତି ରାୟୁଡୁ, ସୁରେଶ ରୈନା, ସ୍ୱୟଂ ଅଧିନାୟକ ଧୋନି ଓ ସାମ୍‍ ବିଲିଙ୍ଗ୍‍ସଙ୍କ ଭଳି ଦକ୍ଷ ବ୍ୟାଟସମ୍ୟାନ ରହିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ୱାଟ୍‍ସନ ରାଜସ୍ଥାନ ରୟାଲ୍‍ସ ବିପକ୍ଷରେ ଓ ରାୟୁଡୁ ସନରାଇଜର୍ସ ବିପକ୍ଷରେ ଶତକ ହାସଲ କରିଥିବାବେଳେ ରୈନା, ଧୋନି, ବିଲିଙ୍ଗ୍‍ସ ଓ ଡ୍ୱୟେନ ବ୍ରାଭୋ ମଧ୍ୟ ସେମାନଙ୍କର ବ୍ୟାଟିଂ ପାରଦର୍ଶିତା ଦେଖାଇ ସାରିଛନ୍ତି। ଅପରପକ୍ଷରେ ସନରାଇଜର୍ସ ଦଳର ବ୍ୟାଟିଂ ମୁଖ୍ୟତଃଭାବେ ଓପନର ଶିଖର ଧାୱନ, ଅଧିନାୟକ କେନ୍‍ ୱିଲିୟମସନ ଓ ମନୀଶ ପାଣ୍ଡେଙ୍କ ଉପରେ ନିର୍ଭର କରୁଛି।
ୱିଲିୟମସନ ୧୪ଟି ମ୍ୟାଚରୁ ମୋଟ ୬୬୧ ରନ ସଂଗ୍ରହ କରି ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଧାୱନ ୪୩୭ ରନ ସ୍କୋର କରିସାରିଛନ୍ତି। ଆଲେକ୍ସ ହେଲ୍‍ସ ଇଂଲଣ୍ଡ ଫେରିଯାଇଥିବାରୁ ସନରାଇଜର୍ସ ଦଳ ବର୍ତ୍ତମାନ ଧାୱନ ଓ ଶ୍ରୀବତ୍ସ ଗୋସ୍ୱାମୀଙ୍କୁ ନେଇ ବ୍ୟାଟିଂ ଓପନ କରୁଛି। ଦଳରେ ୟୁସୁଫ ପଠାନ ଓ ରିଦ୍ଧିମାନ ଶାହାଙ୍କ ଭଳି ବ୍ୟାଟସମ୍ୟାନ ଥିଲେ ସୁଦ୍ଧା ସେମାନେ ଏପର୍ଯ୍ୟନ୍ତ ବ୍ୟାଟିଂ ନୈପୁଣ୍ୟ ଦେଖାଇବାରେ ବିଫଳ ହୋଇଛନ୍ତି। ତେଣୁ ବ୍ୟାଟିଂ ବିଭାଗରେ ସିଏସ୍‍କେ ନିଶ୍ଚିତଭାବେ ଆଗୁଆ ରହିବ।
ବୋଲିଂ ବିଭାଗରେ ସନରାଇଜର୍ସ ଦଳ ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ ମନେ ହେଉଛି। ଭୁବନେଶ୍ୱର କୁମାର ଓ ସିଦ୍ଧାର୍ଥ କାଉଲ ଫାଷ୍ଟ ବୋଲିଂ ଦାୟିତ୍ୱ ସମ୍ଭାଳୁଥିବାବେଳେ ରସିଦ ଖାନ୍‍ ଓ ସାକିବ ଅଲ୍‍ ହାସାନ ସ୍ପିନର ଭାବେ ପଡିଆକୁ ଓହ୍ଲାଇବେ। ଚଳିତ ଟୁର୍ଣ୍ଣାମେଣ୍ଟରେ ସିଦ୍ଧାର୍ଥ ଏପର୍ଯ୍ୟନ୍ତ ୧୭ ଓ ରସିଦ ଖାନ୍‍ ୧୬ଟି ୱିକେଟ ଅକ୍ତିଆର କରିସାରିଛନ୍ତି। ଅପରପକ୍ଷରେ ସିଏସ୍‍କେ ଦଳରେ ଲୁଙ୍ଗି ଏଙ୍ଗିଡି, ସାର୍ଦ୍ଦୁଳ ଠାକୁର, ଦୀପକ ଚହର, ସେନ୍‍ ୱାଟସନ ଓ ବ୍ରାଭୋଙ୍କ ଭଳି ଫାଷ୍ଟ ବୋଲର ଥିବାବେଳେ ସ୍ପିନ ବିଭାଗରେ ରବୀନ୍ଦ୍ର ଜାଡେଜା, କର୍ଣ୍ଣ ଶର୍ମା ଓ ହରଭଜନ ସିଂହ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଅସୁବିଧାରେ ପକାଇବାର ଦକ୍ଷତା ରଖିଛନ୍ତି।

Leave A Reply