ବାଙ୍ଗାଲୋର ବିପକ୍ଷରେ କଲକାତା ବିଜୟୀ

0

କଲକାତା : ଆଇପିଏଲ୍‌-୧୧ର ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ରବିବାର ସନ୍ଧ୍ୟାରେ ଖେଳା ଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୪ ୱିକେଟରେ କେକେଆର୍‌ ପରାସ୍ତ କରିଛି। ବ୍ରେଣ୍ଡନ୍‌ ମ୍ୟାକ୍‌କଲମ୍‌, ଏବି ଡି’ଭିଲିଅର୍ସ ଓ ମନଦୀପ ସିଂହଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆର୍‌ସିବି ୭ ୱିକେଟରେ ୧୭୬ ରନ୍‌ କରିଥିଲା। ପରେ ସୁନୀଲ ନାରାୟଣଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ଦିନେଶ କାର୍ତ୍ତିକଙ୍କ ଲଢ଼ୁଆ ଇନିଂସ ବଳରେ ୧୮.୫ ଓଭରରେ ୬ ୱିକେଟ ହରାଇ କେକେଆର୍‌ ଜିତିଥିଲା।
କେକେଆର୍‌ ସୁନୀଲ ନାରାୟଣଙ୍କୁ ବ୍ୟାଟିଂ ଓପନ୍‌ କରିବାକୁ ପଠାଇ ବାଙ୍ଗାଲୋରକୁ ଚକ୍‌ମା ଦେଇଥିଲା। ୫ ଓଭର ପୂରିବା ପୂର୍ବରୁ କଲକାତା ୬୦ ରନ୍‌ ଅତିକ୍ରମ କରି ସାରିଥିଲା। କ୍ରିସ୍‌ ଲିନ୍‌ ୫ ଓ ରବିନ୍‌ ଉଥପ୍ପା ୧୩ ରନ୍‌କରି ବିଦାୟ ନେଇଥିଲେ। ୬ଷ୍ଠ ଓଭରରେ ଆଉଟ ହୋଇଥିବା ୱେଷ୍ଟଇଣ୍ଡିଜ୍‌ର ନାରାୟଣ ମାତ୍ର ୧୯ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୫୦ ରନ୍‌କରି ବାକି ବ୍ୟାଟ୍‌ସମ୍ୟାନ୍‌ଙ୍କ କାମ ସହଜ କରି ଦେଇଥିଲେ। ୮୩ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ନୀତୀଶ ରାଣା ଓ ଅଧିନାୟକ ଦିନେଶ କାର୍ତ୍ତିକ ୭ ଓଭରରେ ୫୫ ରନ୍‌ ଯୋଗ କରିଥିଲେ। ଦିଲ୍ଲୀର ବାମହାତି ନୀତୀଶ ରାଣା ୨୫ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୪ ରନ୍‌କରି ଆଉଟ ହୋଇଥିଲେ। ପରେ ୟୁପିର ରିଙ୍କୁ ସିଂହ ୬ ରନ୍‌କରି ବିଦାୟ ନେଇଥିଲେ। ପରେ ଆନ୍ଦ୍ରେ ରସେଲ୍‌ ଆସି ୧୧ ବଲ୍‌ରୁ ଦ୍ରୁତ ୧୫ ରନ୍‌କରି ବିଦାୟ ନେଇଥିଲେ। କାର୍ତ୍ତିକ ୨୯ ବଲ୍‌ରୁ ୩୫ ରନ୍‌କରି ଅପରାଜିତ ଥିଲେ। କ୍ରିସ୍‌ ୱକ୍‌ସ ୩ଟି ଓ ଉମେଶ ଯାଦବ ୨ଟି ୱିକେଟ ପାଇଥିଲେ।
କଲକାତା ନାଇଟ ରାଇଡର୍ସ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ଆର୍‌ସିବିର ଓପ୍‌ନର କ୍ୱିଣ୍ଟନ୍‌ ଡି କକ୍‌ ୪ ରନ୍‌କରି ବିଦାୟ ନେଇଥିଲେ। ତେବେ ୨ୟ ୱିକେଟ ପାଇଁ ବ୍ରେଣ୍ଡନ୍‌ ମ୍ୟାକ୍‌କଲମ୍‌ ଓ ଅଧିନାୟକ ବିରାଟ କୋହଲି ଦ୍ରୁତ ୪୫ ରନ୍‌ର ଭାଗିଦାରୀ କରିଥିଲେ। ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ମ୍ୟାକ୍‌କଲମ୍‌ ମାତ୍ର ୨୭ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୪୩ ରନ୍‌କରି ଆଉଟ ହୋଇଥିଲେ। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ଆର୍‌ସିବିର ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ। ଦୁହେଁ ୨ୟ ୱିକେଟ ପାଇଁ ମାତ୍ର ୬ ଓଭରରେ ୬୪ ରନ୍‌ ଯୋଗ କରିବାରୁ ବାଙ୍ଗାଲୋର ପ୍ରଭାବଶାଳୀ ସ୍କୋର୍‌ କରି ପାରିଥିଲେ। କୋହଲି ୩୩ ବଲ୍‌ରୁ ୩୧ ରନ୍‌ କରିଥିଲେ। ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂକରି ଡି’ଭିଲିଅର୍ସ ମାତ୍ର ୨୩ ବଲ୍‌ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୪୪ ରନ୍‌ କରିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍‌ ସର୍ଫରାଜ ଖାଁ ୬ ରନ୍‌ କରିଥିବା ବେଳେ ଶେଷଆଡ଼କୁ ମନଦୀପ ସିଂହଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ବାଙ୍ଗାଲୋର ୧୭୦ ରନ୍‌ ପାର କରି ପାରିଥିଲା। ମନଦୀପ ୧୮ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୭ ରନ୍‌ କରିଥିଲେ। ବିନୟ କୁମାର ୨ଟି ୱିକେଟ ପାଇଥିଲେ।

Leave A Reply