ଫାଇନାଲରେ ଚେନ୍ନଇ

0

ମୁମ୍ବଇ : ପ୍ରଥମଦଳ ଭାବେ ଚଳିତ ଆଇପିଏଲ୍‍ର ଫାଇନାଲରେ ପ୍ରବେଶ କରିଛି ଚେନ୍ନଇ ସୁପର କିଙ୍ଗ୍‍ସ। ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ କ୍ୱାଲିଫାୟର ମ୍ୟାଚ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ୨ ୱିକେଟରେ ଚେନ୍ନଇ ହରାଇଛି। କାର୍ଲେର୍ାସ ବ୍ରାଥ୍‍ୱେଟ୍‍ଙ୍କ ଲଢ଼ୁଆ ୪୩ ରନ୍‍ ସତ୍ତ୍ବେ ଚେନ୍ନଇର ବୋଲର ଚମତ୍କାର ପ୍ରଦର୍ଶନ କରିବାରୁ ସନ୍‍ରାଇଜର୍ସ ୭ ୱିକେଟ ହରାଇ ୧୩୯ ରନ୍‍ କରିଥିଲା। ପରେ ଚେନ୍ନଇ ୬୨ ରନ୍‍ରେ ୬ଟି ୱିକେଟ ହରାଇବା ସତ୍ତ୍ବେ ଫାଫ୍‍ ଡୁ ପ୍ଲେସିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୫ଟି ବଲ୍‍ ବାକିଥାଇ ୮ ୱିକେଟ ହରାଇ ଜିତିଥିଲା। ଏହାକୁ ମିଶାଇ ରେକର୍ଡ ୭ମ ଥର ପାଇଁ ଚେନ୍ନଇ ଫାଇନାଲରେ ପ୍ରବେଶ କରିଛି। ତେବେ ସନ୍‍ରାଇଜର୍ସ ପାଖରେ ଫାଇନାଲ ଖେଳିବାର ୨ୟ ସୁଯୋଗ ରହିଛି। ଏଲିମିନେଟର ମ୍ୟାଚ୍‍ର ବିଜେତା ବିରୋଧରେ ଶୁକ୍ରବାର ସନ୍‍ରାଇଜର୍ସ ୨ୟ କ୍ୱାଲିଫାୟର ମ୍ୟାଚ୍‍ ଖେଳିବ। ଏହାର ବିଜେତା ବିରୋଧରେ ଚେନ୍ନଇ ସୁପର କିଙ୍ଗ୍‍ସ ରବିବାର ଫାଇନାଲ ମ୍ୟାଚ୍‍ ଖେଳିବ।
ସନ୍‍ରାଇଜର୍ସ ପରି ଚେନ୍ନଇ ମଧ୍ୟ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ସେନ୍‍ ୱାଟ୍‍ସନ ଆଉଟ ହୋଇ ଯାଇଥିଲେ। ତେବେ ସୁରେଶ ରୈନା କ୍ରିଜ୍‍କୁ ଆସିବା ମାତ୍ରେ ନିୟମିତ ଚୌକା ମାରିଥିଲେ ଏବଂ ସ୍କୋର୍‍କୁ ଦ୍ରୁତଗତିରେ ବଢ଼ାଇ ଚାଲିଥିଲେ। ତେବେ ସିଦ୍ଧାର୍ଥ କୌଲ ତାଙ୍କ ପ୍ରଥମ ଓଭରରେ କ୍ରମାଗତ ୨ଟି ବଲ୍‍ରେ ଚେନ୍ନଇର ଦୁଇ ସଫଳ ବ୍ୟାଟ୍‍ସମ୍ୟାନ୍‍ ସୁରେଶ ରୈନା ଓ ଅମ୍ବତି ରାୟୁଡୁଙ୍କୁ ବୋଲ୍‍ଡ କରି ଦେଇଥିଲେ। ରୈନା ମାତ୍ର ୧୩ ବଲ୍‍ରୁ ୪ଟି ଚୌକା ସହ ୨୨ ରନ୍‍ କରିଥିଲେ। ରାୟୁଡୁ ପ୍ରଥମ ବଲ୍‍ରେ ବୋଲ୍‍ଡ ହେବା ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଗୁଗ୍‍ଲିରେ ବୋଲ୍‍ଡ କରିଥିଲେ ଲେଗ୍‍ସ୍ପିନର ରସିଦ୍‍ ଖାଁ। ଧୋନି ୧୮ ବଲ୍‍ରୁ ୯ ରନ୍‍ କରିଥିଲେ। ପରେ ଡ୍ୱେନ୍‍ ବ୍ରାଭୋ ୭ ରନ୍‍କରି ରସିଦ୍‍ଙ୍କ ୨ୟ ଶିକାର ହୋଇଥିଲେ। ରବୀନ୍ଦ୍ର ଜାଡ଼େଜା ୩ ରନ୍‍ କରି ପାରିଥିଲେ। ୮ମ ଓଭର ଶେଷରେ ଓପ୍‍ନର ଫାଫ୍‍ ଡୁ ପ୍ଲେସି ମାତ୍ର ୫ ରନ୍‍ କରିଥିଲେ। ପରେ ଅବଶ୍ୟ ଡୁ ପ୍ଲେସି କିଛି ସଟ୍‍ ଖେଳିଥିଲେ। ୬୨ ରନ୍‍ରେ ୬ଟି ୱିକେଟ ପଡ଼ିଯିବା ପରେ ଦୀପକ ଚହରଙ୍କ ସହ ମିଶି ଡୁ ପ୍ଲେସି ଅଢ଼େଇ ଓଭରରେ ୩୦ ରନ୍‍ ଯୋଡ଼ିଥିଲେ। ଚହର ୧୦ ରନ୍‍ କରିଥିଲେ। ଶେଷ ୪ ଓଭରରୁ ୪୭ ରନ୍‍ ଆବଶ୍ୟକ ଥିବା ବେଳେ ଡୁ ପ୍ଲେସି ଆକ୍ରମଣ ଆରମ୍ଭ କରିଥିଲେ। ୧୮ତମ ଓଭରରେ ଡୁ ପ୍ଲେସି ୨୦ ରନ୍‍ ମାରିଥିଲେ। ସାର୍ଦ୍ଦୁଲ ଠାକୁର ୫ଟି ବଲ୍‍ରୁ ୩ଟି ଚୌକା ସହ ୧୫ ରନ୍‍ରେ ଅପରାଜିତ ଥିଲେ। ଚେନ୍ନଇ ବିଜୟର ହିରୋ ଡୁ ପ୍ଲେସି ୪୨ ବଲ୍‍ରୁ ୪ଟି ଛକା ଓ ୫ଟି ଚୌକା ସହ ୬୭ ରନ୍‍କରି ଅପରାଜିତ ଥିଲେ। କୌଲ ଓ ରସିଦ୍‍ ୨ଟି ଲେଖାଏଁ ୱିକେଟ ପାଇଥିଲେ।
୨ ଥର ଚମ୍ପିଆନ୍‍ ଚେନ୍ନଇ ସୁପର କିଙ୍ଗ୍‍ସ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ସନ୍‍ରାଇଜର୍ସ ହାଇଦରବାଦ ପ୍ରଥମ ବଲ୍‍ରେ ୱିକେଟ ହରାଇଥିଲା। ଦୀପକ ଚହରଙ୍କ ଇନ୍‍ସ୍ୱିଙ୍ଗରରେ ଶିଖର ଧାୱନ ବୋଲ୍‍ଡ ହୋଇଥିଲେ। ପରେ ୨୨ ରନ୍‍ର ୨ୟ ୱିକେଟ ଭାଗିଦାରୀ ପରେ ବାମହାତି ଓପ୍‍ନର ଶ୍ରୀବତ୍ସ ଗୋସ୍ୱାମୀ ୨ଟି ଚୌକା ସହ ୧୨ ରନ୍‍କରି ଆଉଟ ହୋଇ ଯାଇଥିଲେ। ଚମତ୍କାର ଫର୍ମରେ ଥିବା ଏବଂ ଦଳର ସଫଳତମ ବ୍ୟାଟ୍‍ସମ୍ୟାନ୍‍ ଅଧିନାୟକ କେନ୍‍ ୱିଲିୟମ୍‍ସନଙ୍କ ଉପରେ ଦଳ ଅଧିକ ନିର୍ଭର କରୁଥିବା ବେଳେ ନ୍ୟୁଜିଲାଣ୍ଡର ଏହି ତାରକା ବ୍ୟାଟ୍‍ସମାନ୍‍ ଦଳକୁ ନିରାଶ କରିଥିଲେ। ୱିଲିୟମ୍‍ସନ ୧୫ ବଲ୍‍ରୁ ୪ଟି ଚୌକା ସହ ୨୪ ରନ୍‍ କରିଥିଲେ। ମନୀଷ ପାଣ୍ଡେ ୧୬ ବଲ୍‍ରୁ ୮ ଓ ସାକିବ୍‍ ଅଲ୍‍ ହାସନ୍‍ ୧୦ ବଲ୍‍ରୁ ୧୨ ରନ୍‍ କରି ପାରିଥିଲେ। ୟୁସୁଫ୍‍ ପଠାନ୍‍ ୨୯ ବଲ୍‍ରୁ ୩ଟି ଚୌକା ସହ ୨୪ ରନ୍‍କରି ଆଉଟ ହେବା ବେଳକୁ ସନ୍‍ରାଇଜର୍ସ ୧୫ ଓଭରରୁ ୮୮ ରନ୍‍କରି ୬ଟି ୱିକେଟ ହରାଇଥିଲା। ଏହାପରେ ୱେଷ୍ଟଇଣ୍ଡିଜ୍‍ର ଅଲ୍‍ରାଉଣ୍ଡର କାର୍ଲୋସ ବ୍ରାଥ୍‍ୱେଟ୍‍ ଶେଷ ୫ ଓଭରରେ ଇନିଂସ ସମ୍ଭାଳିଥିଲେ। ଏହି ୫ ଓଭରରୁ ୫୧ ରନ୍‍ ସ୍କୋର୍‍ ହୋଇଥିଲା। ଭୁବନେଶ୍ୱର କୁମାର ଓ ବ୍ରାଥ୍‍ୱେଟ ଏହି ୫ ଓଭର ଖେଳିବାରୁ ସନ୍‍ରାଇଜର୍ସ ସମ୍ମାନଜନକ ସ୍କୋର୍‍ରେ ପହଞ୍ଚି ପାରିଥିଲା। ଏହି ୫୧ ରନ୍‍ରୁ ଭୁବନେଶ୍ୱରଙ୍କ ଯୋଗଦାନ ଥିଲା ମାତ୍ର ୭ ରନ୍‍। ୱେଷ୍ଟଇଣ୍ଡିଜ୍‍କୁ ଟି୨୦ ବିଶ୍ୱକପ୍‍ ଚମ୍ପିଆନ୍‍ କରାଇଥିବା ବ୍ରାଥ୍‍ୱେଟ୍‍ ୨୯ ବଲ୍‍ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୪୩ ରନ୍‍ କରି ଅପରାଜିତ ଥିଲେ। ସନ୍‍ରାଇଜର୍ସ ହାଇଦରବାଦ ଇନିଂସର ସବୁଠାରୁ ଫଳପ୍ରସୂ ଓଭର ଥିଲା ଅନ୍ତିମ ଓଭରରେ; ଯେଉଁଥିରୁ ୨୧ ରନ୍‍ ସ୍କୋର୍‍ ହୋଇଥିଲା। ଡ୍ୱେନ୍‍ ବ୍ରାଭୋ ୨ଟି ୱିକେଟ ପାଇଥିବା ବେଳେ ଅନ୍ୟ ୫ ବୋଲର ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।

Leave A Reply