ଚେନ୍ନଇ ଜିତିଲା ; ପ୍ଲେଅଫ୍‍ରେ ରାଜସ୍ଥାନ

0

ପୁଣେ, ୨୦।୫- ଆଇପିଏଲ୍‍-୧୧ରେ ୪ର୍ଥ ତଥା ଅନ୍ତିମ ଦଳ ଭାବେ ପ୍ଲେଅଫ୍‍ରେ ପହଞ୍ଚିଛି ରାଜସ୍ଥାନ ରୟାଲ୍‍ସ। ରବିବାର ଅନ୍ତିମ ଲିଗ୍‍ ମ୍ୟାଚ୍‍ରେ କିଙ୍ଗ୍‍ସ ଏକାଦଶ ପଞ୍ଜାବକୁ ୫ ୱିକେଟରେ ପରାସ୍ତ କରିଛି ଚେନ୍ନଇ ସୁପର କିଙ୍ଗ୍‍ସ। ଫଳରେ ପଞ୍ଜାବ ବିଦାୟ ନେଇଛି ଏବଂ ୧୪ ପଏଣ୍ଟ ସହ ରାଜସ୍ଥାନ ପ୍ଲେଅଫ୍‍ରେ ପହଞ୍ଚିଛି। କରୁଣ ନାୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ପଞ୍ଜାବ ୧୯.୪ ଓଭରରେ ୧୫୩ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପରେ ସୁରେଶ ରୈନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୫ଟି ବଲ୍‍ ବାକିଥାଇ ୫ ୱିକେଟ ହରାଇ ଚେନ୍ନଇ ଜିତିଥିଲା। ପୂର୍ବରୁ ପ୍ଲେଅଫ୍‍ରେ ପହଞ୍ଚି ସାରିଥିବା ଚେନ୍ନଇ ୧୪ଟି ମ୍ୟାଚ୍‍ରୁ ୯ମ ବିଜୟ ପରେ ପୂର୍ବ ପରି ୨ୟ ସ୍ଥାନରେ ରହିଛି। ପଞ୍ଜାବ ୧୪ଶ ମ୍ୟାଚ୍‍ରେ ୮ମ ପରାଜୟ ଭୋଗିଛି।
ପଞ୍ଜାବ ୧୬ ରନ୍‍ରେ ୩ଟି ୱିକେଟ ହରାଇଥିବା ବେଳେ ଚେନ୍ନଇ ୨୭ ରନ୍‍ରେ ୩ଟି ୱିକେଟ ହରାଇ ଅସୁବିଧାରେ ପଡ଼ି ଯାଇଥିଲା। ଅମ୍ବତି ରାୟୁଡୁ ୧ ରନ୍‍କରି ବିଦାୟ ନେଇଥିବା ବେଳେ ଫାଫ୍‍ ଡୁ ପ୍ଲେସି ୧୪ ଓ ସାମ୍‍ ବିଲିଙ୍ଗ୍‍ସ ବିନା ସ୍କୋର୍‍ରେ ଆଉଟ ହୋଇ ଯାଇଥିଲେ। ପରେ ସୁରେଶ ରୈନା ଓ ହରଭଜନ ସିଂହ ଧିରେସୁସ୍ଥେ ସ୍କୋର୍‍କୁ ଆଗେଇ ନେଇଥିଲେ। ୨୨ ବଲ୍‍ରୁ ୧୯ ରନ୍‍କରି ହରଭଜନ ବିଦାୟ ନେଇଥିଲେ। ୬ ଓଭରରୁ ୭୩ ରନ୍‍ ଆବଶ୍ୟକ ଥିବା ବେଳେ ଦୀପକ ଚହର ଆକ୍ରମଣ ଆରମ୍ଭ କରିଥିଲେ। ଚହର ୨୦ ବଲ୍‍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୯ ରନ୍‍କରି ଆଉଟ ହୋଇଥିଲେ। ପରେ ରୈନା ଓ ମହେନ୍ଦ୍ର ସିଂହ ଧୋନି ଦଳକୁ ଜିତାଇଥିଲେ। ଧୋନି ୭ ବଲ୍‍ରୁ ୧୬ ରନ୍‍କରି ଏବଂ ରୈନା ୪୮ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୬୧ ରନ୍‍କରି ଅପରାଜିତ ଥିଲେ। ଆର୍‍. ଅଶ୍ୱିନ ଓ ଅଙ୍କିତ ରାଜପୁତ ୨ଟି ଲେଖାଏଁ ୱିକେଟ ପାଇଥିଲେ।
ଟସ୍‍ ଜିତି ଚେନ୍ନଇ ଫିଲ୍‍ଡିଂ ନେବା ପରେ ପଞ୍ଜାବ ବିପର୍ଯ୍ୟୟର ସହ ଇନିଂସ ଆରମ୍ଭ କରିଥିଲା। ୪ ଓଭରରେ ୧୬ ରନ୍‍ରେ ୩ ପ୍ରମୁଖ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ପଞ୍ଜାବ ହରାଇଥିଲା। କ୍ରିସ୍‍ ଗେଲ୍‍ ୦, ଆରୋନ୍‍ ଫିଞ୍ଚ୍‍ ୪ ଓ କେ.ଏଲ୍‍. ରାହୁଲ ୭ ରନ୍‍କରି ଆଉଟ ହୋଇଥିଲେ। ପରେ ମନୋଜ ତିୱାରୀ ଓ ଡେଭିଡ୍‍ ମିଲର ୪ର୍ଥ ୱିକେଟ ପାଇଁ ୭ ଓଭରରେ ୬୦ ରନ୍‍ ଯୋଡ଼ିଥିଲେ। ତିୱାରୀ ୩୦ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୫ ରନ୍‍କରି ଆଉଟ ହୋଇଥିଲେ। ପରେ କରୁଣ ନାୟାର ଗୋଟିଏ ପଟେ ଇନିଂସ ସମ୍ଭାଳି ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅନ୍ୟପଟୁ ୱିକେଟ ପଡ଼ି ଚାଲିଥିଲା। ବାମହାତି ମିଲର ୨୨ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍‍ କରିଥିଲେ। ଅକ୍ଷର ପଟେଲ ୧୪ ରନ୍‍ କରିଥିଲେ। ୧୧୬ରନ୍‍ରେ ୬ଟି ୱିକେଟ ପଡ଼ିଯିବା ପରେ ନାୟାର ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୯ଶ ଓଭରରେ ଆଉଟ ହୋଇଥିବା ନାୟାର ୨୬ ବଲ୍‍ରୁ ୫ଟି ଛକା ଓ ୩ଟି ଚୌକା ସହ ୫୪ ରନ୍‍ କରିଥିଲେ। ଲୁଙ୍ଗି ଏନ୍‍ଗିଡ଼ି ୪ଟି ୱିକେଟ ପାଇଥିବା ବେଳେ ସାର୍ଦ୍ଦୁଳ ଠାକୁର ଓ ଡ୍ୱେନ୍‍ ବ୍ରାଭୋ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଲୁଙ୍ଗି ଏନ୍‍ଗିଡ଼ି ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ଘୋଷିତ ହୋଇଥିଲେ।

Leave A Reply