ଚେନ୍ନଇ ପରାସ୍ତ : ୬ ୱିକେଟରେ ଜିତିଲା ହାଇଦରାବାଦ

ହାଇଦରାବାଦ : ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଓ ପରବର୍ତ୍ତୀ ସମୟରେ ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକକୁ ଆଧାର କରି ସନରାଇଜର୍ସ ହାଇଦରାବାଦ ଏଠାରେ ବୁଧବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଚେନ୍ନଇ ସୁପର କିଙ୍ଗ୍‌ସକୁ ୬ ୱିକେଟରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଚେନ୍ନଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୩୨ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦରାବାଦ ୧୬.୫ ଓଭରରେ ୪ ୱିକେଟ ହରାଇ ୧୩୭ ରନ କରିଥିଲା। ଏହି ବିଜୟ ଫଳରେ ହାଇଦରାବାଦ ୮ଟି ମ୍ୟାଚରୁ ଚତୁର୍ଥ ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଅପରପକ୍ଷରେ ଚେନ୍ନଇ ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ପରାଜୟ ସତ୍ତ୍ବେ ୮ଟି ମ୍ୟାଚରୁ ୧୪ ପଏଣ୍ଟ ପାଇ ଶୀର୍ଷ ସ୍ଥାନ ବଜାୟ ରଖିପାରିଛି।
୧୩୩ ରନ୍‌ର ସ୍ବଳ୍ପ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ସନରାଇଜର୍ସର ଦୁଇ ଓପନର ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଆକ୍ରମଣାତ୍ମକ ଭଙ୍ଗିରେ ବ୍ୟାଟିଂ ଆରମ୍ଭ କରିଥିଲେ। ଏ ଦୁହେଁ ପ୍ରଥମ ୱିକେଟ ପାଇଁ ୫.୪ ଓଭରରେ ୬୬ ରନ ଯୋଗକରିଥିଲେ। ଏଥିମଧ୍ୟରୁ ୱାର୍ଣ୍ଣରଙ୍କ ଅବଦାନ ଥିଲା ୫୦ ରନ। ୱାର୍ଣ୍ଣର ୨୫ ବଲରୁ ୧୦ଟି ଚୌକା ସହାୟତାରେ ୫୦ ରନ କରିଥିବାବେଳେ ଦୀପକ ଚହରଙ୍କ ବଲରେ ଫାଫ୍‌ ଡୁ’ ପ୍ଲେସିଙ୍କ ଦ୍ବାରା କ୍ୟାଚଆଉଟ ହୋଇଥିଲେ। ୱାର୍ଣ୍ଣରଙ୍କ ପ୍ରସ୍ଥାନ ପରେ ଅଧିନାୟକ କେନ୍‌ ୱିଲିୟମସନ ବେଶି ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ବ୍ୟକ୍ତିଗତ ୩ ରନ କରି ସେ ଇମ୍ରାନ ତାହିରଙ୍କ ବଲରେ କଟ୍‌ ଆଣ୍ଡ୍‌ ବୋଲଡ ହୋଇଥିଲେ। ବିଜୟ ଶଙ୍କର ୭ ରନ କରି ଆଉଟ ହେବାପରେ ବେୟାରଷ୍ଟୋ ଓ ଦୀପକ ହୁଦା ୪ର୍ଥ ୱିକେଟ ପାଇଁ ୨୬ ରନ ଯୋଗକରିଥିଲେ। ତେବେ କର୍ଣ୍ଣ ଶର୍ମାଙ୍କ ବଲରେ ଛକା ମାରିବାକୁ ଯାଇ ହୁଦା ଆଉଟ ହୋଇଥିଲେ। ବେୟାରଷ୍ଟୋଙ୍କ ଛକା ବଳରେ ସନରାଇଜର୍ସ ୧୬.୫ ଓଭରରେ ୪ ୱିକେଟ ବିନିମୟରେ ୧୩୭ ରନ କରି ବିଜୟୀ ହୋଇଥିଲା। ଚେନ୍ନଇ ପକ୍ଷରୁ ଇମ୍ରାନ ତାହିର ୨ଟି ଓ ଦୀପକ ଚହର, କର୍ଣ୍ଣ ଶର୍ମା ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
ନିୟମିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଏହି ମ୍ୟାଚରେ ଚେନ୍ନଇ ଦଳର ନେତୃତ୍ବ ନେଇଥିବା ସୁରେଶ ରୈନା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ସେନ୍‌ ୱାଟ୍‌ସନ ଓ ଫାଫ୍‌ ଡୁ’ ପ୍ଲେସି ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରି ପ୍ରଥମ ୱିକେଟ ପାଇଁ ୯.୫ ଓଭରରେ ୭୯ ରନ ସଂଗ୍ରହ କରିଥିଲେ। ୱାଟସନଙ୍କୁ (୩୧) ଆଉଟ କରି ଶାହାବାଜ ନଦୀମ ସନରାଇଜର୍ସ ହାଇଦରାବାଦ ପାଇଁ ପ୍ରଥମ ସଫଳତା ଅର୍ଜନ କରିଥିଲେ। ୨ ରନ ବ୍ୟବଧାନରେ ପ୍ଲେସି ୩୧ଟି ବଲରୁ ୩ଟି ଚୌକା ଓ ୩ଟି ଛକା ସହାୟତାରେ ୪୫ ରନ କରି ଆଉଟ ହୋଇଥିଲେ। କାମଚଳା ଅଧିନାୟକ ସୁରେଶ ରୈନାଙ୍କ ଉପରେ ଦଳ ନିର୍ଭର କରୁଥିବାବେଳେ ସେ ବେଶି ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ରୈନା ୧୩ ରନ କରିଥିବାବେଳେ ସ୍ପିନର ରସିଦ ଖାନ୍‌ଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। ମଧ୍ୟକ୍ରମରେ କେଦାର ଯାଦବ ମାତ୍ର ୧ ରନ କରି ରସିଦ ଖାନ୍‌ଙ୍କ ଦ୍ବିତୀୟ ଶିକାର ପାଲଟିଥିଲେ। ୯୯ ରନରେ ଚାରିଜଣ ପ୍ରମୁଖ ବ୍ୟାଟସମ୍ୟାନ ପ୍ୟାଭିଲିୟନ ଫେରିଯିବା ଫଳରେ ଦଳର ରନ ସଂଗ୍ରହ ହାର ବାଧାପ୍ରାପ୍ତ ହୋଇଥିଲା। ସାମ ବିଲିଙ୍ଗ୍‌ସ ଖାତା ଖୋଲିବା ପୂର୍ବରୁ ଖଲିଲ ଅହମ୍ମଦଙ୍କ ବଲରେ ଆଉଟ ହୋଇଥିଲେ। ହାଇଦରାବାଦ ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଯୋଗୁଁ ଅମ୍ବତି ରାୟୁଡୁ ଓ ରବୀନ୍ଦ୍ର ଜାଡେଜା ୬ଷ୍ଠ ୱିକେଟ ପାଇଁ ୫.୨ ଓଭରରେ କେବଳ ୩୧ ରନ ସଂଗ୍ରହ କରିପାରିଥିଲେ। ଓପନିଂ ଯୋଡି ଏକଦା ପ୍ରଥମ ୱିକେଟ ପାଇଁ ୭୯ ରନ ଯୋଗକରିଥିବାବେଳେ ଦଳର ଅବଶିଷ୍ଟ ବ୍ୟାଟସମ୍ୟାନ ୧୦.୧ ଓଭରରେ ୪ ୱିକେଟ ହରାଇ ୫୩ ରନ ସଂଗ୍ରହ କରିଥିଲେ। ଫଳରେ ୨୦ ଓଭର ସୁଦ୍ଧା ଚେନ୍ନଇ ୫ ୱିକେଟରେ ୧୩୨ ରନ କରିଥିଲା। ହାଇଦରାବାଦ ପକ୍ଷରୁ ରସିଦ ଖାନ୍‌ ୨ଟି ୱିକେଟ ଅକ୍ତିଆର କରିଥିବାବେଳେ ଖଲିଲ ଅହମ୍ମଦ, ଶାହାବାଜ ନଦୀମ ଓ ବିଜୟ ଶଙ୍କର ପ୍ରତ୍ୟେକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।

Comments are closed.