ଚିଦାମ୍ବରମ ଯିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‍ ଜଡ଼ିତ ଥିବା ଆଇ.ଏନ୍‍.ଏକ୍ସ. ମିଡିଆ ମାମଲା ଏକ ସମ୍ପୂର୍ଣ୍ଣ କଳାଧନ ମାମଲା ଓ ଏହି ମାମଲାରେ ଫଳପ୍ରଦ ତଦନ୍ତ ପାଇଁ ତାଙ୍କୁ ହାଜତରେ ରଖି ଜେରା କରିବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍‍ ସୁନୀଲ ଗୌଡ଼ ତାଙ୍କର ଆଗୁଆ ଜାମିନ୍‍ ଆବେଦନକୁ ଖାରଜ କରି କହିଛନ୍ତି, ଏଭଳି ଏକ ମାମଲାରେ ଜାମିନ୍‍ ପ୍ରଦାନ କରାଗଲେ ଏହା ସମାଜକୁ ଏକ ଭୁଲ୍‍ ବାର୍ତ୍ତା ଦେବ। ସେ କହିଛନ୍ତି, ଚିଦାମ୍ବରମ୍‍ଙ୍କୁ ଗିରଫ୍‍ ହେବାରୁ ମିଳିଥିବା ସୁରକ୍ଷା ସମୟରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ପ୍ରଶ୍ନକୁ ଏଡ଼ାଇ ଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟରେ ଆବେଦନ କରିବା ପାଇଁ ମଧ୍ୟବର୍ତ୍ତୀ କାଳିନ ସୁରକ୍ଷା ଦେବାକୁ ମଧ୍ୟ ହାଇକୋର୍ଟ ମନା କରିଥିଲେ। ତାଙ୍କୁ ଗିରଫ୍‍ ହେବାରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଚିଦାମ୍ବରମ୍‍ ବରିଷ୍ଠ ଓକିଲ କପିଲ ଶିବଲ, ଅଭିଶେକ ମନୁ ସିଂଘଭି ଓ ସଲମନ ଖୁର୍ସିଦ୍‍ଙ୍କୁ ସାକ୍ଷାତ କରି ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।

ଇତି ମଧ୍ୟରେ ଚିଦାମ୍ବରମ୍‍ଙ୍କ ଆବେଦନକୁ ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟର ଜଣେ ଅଫିସର କପିଳ ଶିବଲଙ୍କୁ କହିଥିବା ଜଣାପଡିଛି। ପରେ ତାହାକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ବୁଧବାର ପୂର୍ବାହ୍ନ ୧୦ଟା ୩୦ମିନିଟରେ ଶିବଲ ସୁପ୍ରିମକୋର୍ଟରେ ତାଙ୍କର ଆବେଦନ ବିଷୟରେ ଉଲ୍ଲେଖ କରିବାକୁ କୁହାଯାଇଛି। ୩୦୫କୋଟି ଟଙ୍କା ସମ୍ବଳିତ ଆଇ.ଏନ୍‍.ଏକ୍ସ. ମିଡିଆ ମାମଲା ଓ ୩ହଜାର ୫୦୦କୋଟି ଟଙ୍କା ସମ୍ବଳିତ ଏଆର୍‍ସେଲ୍‍-ମାକ୍ସିସ୍‍ ମାମଲାରେ ଚିଦାମ୍ବରମ୍‍ଙ୍କର ଭୂମିକାକୁ ବହୁ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରାଯାଉଛି। ୟୁ.ପି.ଏ.-୧ ସରକାର ଅମଳରେ ସେ ଅର୍ଥମନ୍ତ୍ରୀ ଥିବା ବେଳେ ବିଦେଶୀ ପୁଞ୍ଜିନିବେଶ ବିକାଶ ବୋର୍ଡରୁ ସେହି ଦୁଇ କମ୍ପାନୀକୁ ବିଦେଶରୁ ପାଣ୍ଠି ଗ୍ରହଣ ପାଇଁ ଅନୁମତି ମିଳିଥିଲା।

Comments are closed.