୨୮ରୁ ଭୁବନେଶ୍ବର-ଅହମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା

ପ୍ରଥମ ଥର ପାଇଁ ଗୁଜରାଟକୁ ଉଡ଼ିବ ବିମାନ

ଭୁବନେଶ୍ୱର : ଗୁଜରାଟରେ ରହୁଥିବା ଓଡ଼ିଆ ଲୋକଙ୍କ ପାଇଁ ଖୁସି ଖବର। ଚଳିତ ମାସ ୨୮ ତାରିଖରୁ ଭୁବନେଶ୍ବର ଓ ଅହମଦାବାଦ୍ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ବରରୁ ଗୁଜୁରାଟର କୌଣସି ସହରକୁ ଏହା ପ୍ରଥମ ବିମାନ ସେବା ହେବ। ରବିବାର ବ୍ୟତିତ ଅନ୍ୟ ସବୁଦିନ ଦୁଇ ସହର ମଧ୍ୟରେ ଇଣ୍ଡିଗୋ ଉଡ଼ାଣ କରିବ। କମ୍ପାନୀ ପକ୍ଷରୁ ଏଥିପାଇଁ ଟିକଟ ବୁକିଂ ଆରମ୍ଭ ହୋଇଛି। ଭୁବନେଶ୍ବର-ଅହମଦାବାଦ ସିଧାସଳଖ ବିମାନ ଚାଲିଲେ ଯାତ୍ରା ସଂଖ୍ୟା ୪ ଘଣ୍ଟା ପର୍ଯ୍ୟନ୍ତ କମିଯିବ। ରବିବାର ବ୍ୟତୀତ ସବୁଦିନ ଉଡ଼ିବ
ଇଣ୍ଡିଗୋ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୮ ତାରିଖରୁ ବିମାନ ସଂଖ୍ୟା ୬ଇ-୬୭୯୯ ସଂଧ୍ୟା ୫.୧୦ରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରି ୭.୩୦ ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ଫେରିବା ପଥରେ ବିମାନ ସଂଖ୍ୟା ୬ଇ-୬୮୦୧ ସଂଧ୍ୟା ୮.୦୫ରେ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ରାତି ୧୦.୩୫ରେ ଅହମଦାବାଦରେ ପହଞ୍ଚିବ। ଆଜି ପର୍ଯ୍ୟନ୍ତ ଭୁବନେଶ୍ବରରୁ ଗୁଜୁରାଟର କୌଣସି ସହରକୁ ସିଧାସଳଖ ବିମାନ ସେବା ନଥିଲା। ବର୍ତ୍ତମାନ ଭୁବନେଶ୍ବର-ଅହମଦାବାଦ ମଧ୍ୟରେ ବିମାନ ଯାତ୍ରା କରିବାକୁ ହେଲେ ଭାୟା କଲକାତା, ମୁମ୍ବଇ, ହାଇଦ୍ରାବାଦ ସହର ଦେଇ ଯିବାକୁ ହେଉଛି। ଅନ୍ୟ ସହର ହୋଇ ବିମାନ ଯାଉଥିବା ହେତୁ ବିମାନ ଯାତ୍ରା ପାଇଁ ୬ରୁ ୯ ଘଣ୍ଟା ସମୟ ଲାଗୁଛି। ଟିକଟ ମୂଲ୍ୟ ପାଇଁ ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ହେଉଛି।
ସୁରଟ ସମେତ ଗୁଜୁରାଟର ଏକାଧିକ ସହରରେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ରହୁଛନ୍ତି। କିନ୍ତୁ ସିଧାସଳଖ ବିମାନ ଚାଲୁନଥିବାରୁ ଜରୁରୀ ପରିସ୍ଥିତିରେ ଲୋକେ ଘରକୁ ଆସିବା ପାଇଁ ଟ୍ରେନ୍‌ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡୁଛି। ଭୁବନେଶ୍ବର-ସୁରତ ମଧ୍ୟରେ ସିଧାସଳଖ ବିମାନ ଚଳାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ବିମାନ ସେବା ବିଶେଷଜ୍ଞ ଦେବୁ ପଟ୍ଟନାୟକ କହିଛନ୍ତି, ଅହମଦାବାଦକୁ ସିଧାସଳଖ ବିମାନ ଚାଲିବା ଆମ ପାଇଁ ବେଶ୍‌ ଉତ୍ସାହଜନକ ହେବ। ଯଦି ବ୍ୟବସାୟ ଭଲ ରହିଲା ତେବେ ନିକଟ ଭବିଷ୍ୟତରେ ଭୁବନେଶ୍ବର-ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ପାଇଁ ବିମାନ ସଂସ୍ଥା ଆଗ୍ରହ ପ୍ରକାଶ କରିବେ। ତେବେ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭୁବନେଶ୍ବରରୁ ପୁଣେ ଓ ବାରାଣାସୀକୁ ସିଧାସଳଖ ବିମାନ ସେବା ଆରମ୍ଭ କରାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି। ସେହିପରି ମୁମ୍ବଇକୁ ଅଧିକ ସଂଖ୍ୟକ ବିମାନ ଚାଲିବା ଜରୁରୀ।

Comments are closed.