ଭାରତୀୟ ମହିଳା ହକି ଶିବିରରେ ୫ ଓଡ଼ିଆ

କଟକ : ବେଙ୍ଗାଲୁରୁର ସାଇ ସେଣ୍ଟରରେ ଭାରତୀୟ ସିନିୟର ମହିଳା ହକି ଦଳର ପ୍ରଶିକ୍ଷଣ ତଥା ପ୍ରସ୍ତୁତି ଶିବିର ଆରମ୍ଭହେବ। ଏହି ଶିବିର ଲାଗି ଶନିବାର ହକି ଇଣ୍ଡିଆ ୩୩ ଜଣିଆ ସମ୍ଭାବ୍ୟ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏହି ତାଲିକାରେ ୫ ଜଣ ଓଡ଼ିଆ ଖେଳାଳି ରହିଛନ୍ତି। ସେମାନେ ହେଲେ ଡିଫେଣ୍ଡର ଦୀପ୍‌ ଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ରଶ୍ମିତା ମିଞ୍ଜ୍, ଲିଲିମା ମିଞ୍ଜ୍ ଓ ନମିତା ଟପ୍ପୋ। ଏହି ସମସ୍ତ ୫ ଜଣ ଖେଳାଳି ପୂର୍ବରୁ ଭାରତ ପାଇଁ ଖେଳି ସାରିଛନ୍ତି। ନିକଟରେ ଭୁବନେଶ୍ବରରେ ଆୟୋଜିତ ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆମେରିକା ବିପକ୍ଷରେ ଭାରତ ପାଇଁ ଦୀପ୍‌ ଗ୍ରେସ୍ ଏକ୍କା, ସୁନିତା ଲାକ୍ରା ଓ ଲିଲିମା ମିଞ୍ଜ୍ ଖେଳିଥିଲେ। ଭାରତ ଏଥିରେ ଆମେରିକାକୁ ପଛରେ ପକାଇ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଥିଲା। ନଭେମ୍ବର ୧୮ରୁ ଏହି ଶିବିର ଆରମ୍ଭହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ସିନିୟର ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ସୋଏର୍ଡ ମାରିଏନେ ଏହି ଶିବିର ପରିଚାଳନା କରିବେ। ୨୦୨୦ ଜାନୁୟାରୀ-ଫେବୃୟାରୀରେ ଭାରତୀୟ ମହିଳା ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ। ଏହି ଗସ୍ତ ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତ କରିବା ଲାଗି ଉପରୋକ୍ତ ଶିବିର ଆୟୋଜନ କରାଯାଇଛି।

Comments are closed.