ଦକ୍ଷିଣ କୋରିଆକୁ ୨-୧ରେ ହରାଇଲା ଭାରତ

ଜିନ୍‌ଚିଓନ୍‌ : ସଂପ୍ରତି ଦକ୍ଷିଣ କୋରିଆ ଗସ୍ତରେ ଯାଇଥିବା ଭାରତୀୟ ମହିଳା ହକି ଦଳ ବିଜୟ ସହ ସିରିଜ ଆରମ୍ଭ କରିଛି। ସୋମବାର ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୨-୧ ଗୋଲରେ ଘରୋଇ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଭାରତ ତିନିଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ବୁଧବାର ଉଭୟ ଦଳ ମଧ୍ୟରେ ସିରିଜର ଦ୍ବିତୀୟ ମ୍ୟାଚ ଖେଳାଯିବ।
ଚଳିତବର୍ଷ ପ୍ରାରମ୍ଭରେ ସ୍ପେନ ଓ ମାଲେସିଆ ବିପକ୍ଷ ସିରିଜରେ ଉନ୍ନତ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଗଭୀର ଆତ୍ମବିଶ୍ବାସ ସହ ଏହି ମ୍ୟାଚରେ ପଡିଆକୁ ଓହ୍ଲାଇଥିଲା। ପ୍ରଥମ କ୍ବାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ପ୍ରତିପକ୍ଷ ଗୋଲ ଏରିଆ ଉପରେ ଚାପ ସୃଷ୍ଟି କରିଥିଲା। ଏହି କ୍ବାର୍ଟରର ୭ମ ମିନିଟରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲେ ସୁଦ୍ଧା ଭାରତୀୟ ଖେଳାଳି ଏହାର ସଦୁପଯୋଗ କରିପାରିନଥିଲେ। ଦ୍ବତୀୟ କ୍ବାର୍ଟରର ୨୦ ମିନିଟରେ ଲାଲରେମ୍‌ସିଆମି ଚମତ୍କାର ଫିଲ୍ଡ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ଫଳରେ ମଧ୍ୟାନ୍ତର ସୁଦ୍ଧା ସ୍କୋରଲାଇନ ଭାରତ ସପକ୍ଷରେ ୧-୦ ରହିଥିଲା।
ମଧ୍ୟାନ୍ତର ପରେ ମଧ୍ୟ ଭାରତୀୟ ଦଳର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିନଥିଲା। ଭାରତୀୟ ଫରୱାର୍ଡ ବାହିନୀ କ୍ରମାଗତ ଆକ୍ରମଣ ଜରିଆରେ ପ୍ରତିପକ୍ଷ ରକ୍ଷଣଭାଗକୁ ବ୍ୟତିବ୍ୟସ୍ତ କରିଦେଇଥିଲେ। ତୃତୀୟ କ୍ବାର୍ଟରର ୪୦ ମିନିଟରେ ନବନୀତ୍‌ କୌର ଆଉ ଏକ ଗୋଲ ଦେବାଫଳରେ ଭାରତ ୨-୦ରେ ଆଗୁଆ ରହିଥିଲା। ଚତୁର୍ଥ ତଥା ଶେଷ କ୍ବାର୍ଟରରେ ପେନାଲଟି କର୍ଣ୍ଣରରୁ ଦକ୍ଷିଣ କୋରିଆ ଖେଳାଳି ସିନ୍‌ ହିଜିଓଙ୍ଗ ଗୋଲ ସ୍କୋର କରିବା ସହ ଏହି ବ୍ୟବଧାନକୁ ୨-୧କୁ ହ୍ରାସ କରିଥିଲେ। ଏହି ମ୍ୟାଚରେ ଦକ୍ଷିଣ କୋରିଆ ୫ଟି ପେନାଲଟି କର୍ଣ୍ଣର ଓ ଗୋଟିଏ ପେନାଲଟି ଷ୍ଟ୍ରୋକ୍‌ ପାଇଥିଲେ ସୁଦ୍ଧା କେବଳ ଗୋଟିଏ ପେନାଲଟି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରିପାରିଥିଲା। ଭାରତୀୟ ଗୋଲରକ୍ଷକ ସବିତାଙ୍କ ଚମତ୍କାର ଗୋଲରକ୍ଷଣ ଯୋଗୁଁ କୋରିଆ ଦଳ ଅଧିକ ଗୋଲ ଦେବାରୁ ବଞ୍ଚିତ ହୋଇଥିଲା।
ଦଳର ଏହି ପ୍ରଦର୍ଶନରେ ଭାରତୀୟ ପ୍ରଶିକ୍ଷକ ଜୋର୍ଡ ମାରିନ୍‌ ସନ୍ତୋଷ ପ୍ରକାଶ କରିଥିଲେ ସୁଦ୍ଧା ଫଳାଫଳ ଅଧିକ ଉନ୍ନତ ହୋଇପାରିଥାନ୍ତା ବୋଲି ମତବ୍ୟକ୍ତ କରିଛନ୍ତି। ଭାରତୀୟ ଖେଳାଳି ବେଗକୁ ଅଧିକ ତୀବ୍ର କରିବା ସହ ବଲ ନିୟନ୍ତ୍ରଣ ଦକ୍ଷତା ବୃଦ୍ଧି କରିବା ଜରୁରୀ ବୋଲି ସେ କହିଛନ୍ତି।

Comments are closed.