ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟି -୨୦ ସିରିଜ : ଧୋନି ଫେରିଲେ, ଉମେଶ ଦଳରୁ ବାଦ

0

ନୂଆଦିଲ୍ଲୀ  : ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ପରବର୍ତ୍ତୀ ସମୟରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ ନିମନ୍ତେ ସୋମବାର ବିସିସିଆଇ ପକ୍ଷରୁ ପୃଥକ ଦଳ ଘୋଷଣା କରାଯାଇଛି। ମହେନ୍ଦ୍ର ସିଂହ ଧୋନି ଉଭୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୂଚନାଯୋଗ୍ୟ ଖରାପ ଫର୍ମ ଯୋଗୁଁ ଧୋନିଙ୍କୁ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ ପାଇଁ ମନୋନୀତ କରାଯାଇନଥିଲା। ତାଙ୍କ ସ୍ଥାନରେ ଋଷଭ ପନ୍ତ୍‌ ଏହି ଦୁଇଟି ସିରିଜରେ ୱିକେଟରକ୍ଷକ ଦାୟିତ୍ବ ତୁଲାଇଥିଲେ। ଅପରପକ୍ଷରେ ଫାଷ୍ଟ ବୋଲର ଉମେଶ ଯାଦବ କୌଣସି ଦଳରେ ସ୍ଥାନ ପାଇନାହାନ୍ତି। ଆସନ୍ତାବର୍ଷ (୨୦୧୯) ଇଂଲଣ୍ଡରେ ଆଇସିସି ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଯାଉଥିବାବେଳେ ଦିନିକିଆ ଫର୍ମାଟରେ ଶକ୍ତିଶାଳୀ ଭାରତୀୟ ଦଳ ମନୋନୟନ କରିବାକୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି।
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ନିମନ୍ତେ ଋଷଭଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ବିକଳ୍ପ ୱିକେଟରକ୍ଷକଭାବେ ଦଳରେ ସାମିଲ କରାଯାଇଛି। ଅପରପକ୍ଷରେ ମଧ୍ୟକ୍ରମ ବ୍ୟାଟସମ୍ୟାନ ମନୀଷ ପାଣ୍ଡେଙ୍କୁ ଏଥର ନିରାଶ ହେବାକୁ ପଡିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ସମସ୍ତ ପାଞ୍ଚଟି ଦିନିକିଆରେ ମନୀଷ ଦଳରେ ସାମିଲ ଥିଲେ ସୁଦ୍ଧା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜରେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। କେଦାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଟ୍ବେଣ୍ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଶ୍ରେୟସ ଆୟାର ଓ ୱାଶିଂଟନ ସୁନ୍ଦର ବାଦପଡିଛନ୍ତି।
ସଂପ୍ରତି ଭାରତୀୟ କ୍ରିକେଟ ଦଳ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି। ଏହି ସିରିଜ ଶେଷ ହେବାପରେ ୨୦୧୯ ଜାନୁଆରୀ ୧୨ରୁ ୧୮ ପର୍ଯ୍ୟନ୍ତ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜ ଖେଳାଯିବ। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ଭାରତୀୟ ଦଳ ସିଧାସଳଖ ନ୍ୟୁଜିଲାଣ୍ଡ ଯାଇ ପାଞ୍ଚଟିକିଆ ଦିନିକିଆ ଓ ତିନିଟିକିଆ ଟ୍ବେଣ୍ଟି୨୦ ସିରିଜ ଖେଳିବ। ଜାନୁଆରୀ ୨୩ରୁ ଫେବୃଆରୀ ୩ ପର୍ଯ୍ୟନ୍ତ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଥିବାବେଳେ ଫେବୃଆରୀ ୬ରୁ ୧୦ ମଧ୍ୟରେ ଟ୍ବେଣ୍ଟି୨୦ ସିରିଜ ଖେଳାଯିବ।
ଘୋଷିତ ଦଳ:

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ -ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଅମ୍ବତି ରାୟୁଡୁ, ଦିନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‌ରା, ଖଲିଲ ଅହମ୍ମଦ ଓ ମହମ୍ମଦ ସାମି।

ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ୍ -ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଋଷଭ ପନ୍ତ୍‌, ଦିନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜ୍‌ବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‌ରା ଓ ଖଲିଲ ଅହମ୍ମଦ।

Leave A Reply