କାଲିଫର୍ନିଆରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ମହୀଶୂର: ଆମେରିକାର କାଲିଫର୍ନିଆ ଷ୍ଟେଟ୍‌ ୟୁନିଭର୍ସିଟିରେ ପଢୁଥିବା ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୨୫ ବର୍ଷୀୟ ଏହି ଛାତ୍ରଙ୍କ ନାମ ହେଉଛି ଅଭିଷେଶ ସୁଦେଶ ଭଟ୍ଟ। ସେଠାରେ ସେ କମ୍ପ୍ୟୁଟର ସାଇନ୍ସରେ ଅଧ୍ୟୟନ କରିବା ସହିତ ଏକ ସଂସ୍ଥାରେ ପାର୍ଟ ଟାଇମ୍‌ କାମ କରୁଥିଲେ। ରାତିରେ କାମ ସାରି ଘରକୁ ଫେରୁଥିବାବେଳେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଗୁଳିକରିଥିଲେ। ତେବେ ଦୁର୍ବୃତ୍ତମାନେ ତାଙ୍କୁ କ’ଣ ପାଇଁ ଗୁଳିକଲେ ଏବଂ ସେମାନେ କିଏ ତାହା ଜଣାପଡ଼ି ନ ଥିବାବେଳେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।

ଅଭିଷେକଙ୍କ ବାପା ହେଉଛନ୍ତି ସୁଦେଶ ଚନ୍ଦ ଭଟ୍ଟ। ସେ ଜଣେ ଯୋଗଗୁରୁ। କର୍ଣ୍ଣାଟକର ମହୀଶୂରର କୁୱେମ୍ପୁନଗରରେ ସେ ଶ୍ରୀ ଉପନଷଦ ଯୋଗ ସେଣ୍ଟର ସ୍ଥାପନ କରିଛନ୍ତି। ଆମେରିକାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏ ନେଇ ବର୍ତ୍ତମାନ ସୁଦ୍ଧା ପରିବାର ଲୋକଙ୍କୁ ରିପୋର୍ଟ ଦିଆଯାଇନାହିଁ। ଅଭିଷେକଙ୍କ ସମ୍ପର୍କୀୟ ଭାଇ ଶ୍ରୀବତ୍ସ କହିଛନ୍ତି ଯେ, ଅଭିଷେକ ମହୀଶୂରର ବିଦ୍ୟା ବିକାଶ ଇଞ୍ଜିନିୟରିଂ କଲେଜରେ ଇଞ୍ଜିନିୟରିଂ କରିବା ପରେ ଆମେରିକା ପଢ଼ିବାକୁ ଯାଇଥିଲେ। ତାଙ୍କର ଜଣେ ସାଙ୍ଗ ଫୋନ କରି ତାଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ।

Comments are closed.